ଭୁବନେଶ୍ବର:ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଏହାର ପ୍ରଭାବରେ କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେଉଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଥିସହ ସାମ୍ଭାବ୍ୟ ବର୍ଷା ନେଇ ୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।
ରାଜ୍ୟରେ ଆସନ୍ତା ୨୬ ତାରିଖରୁ ପଶ୍ଚିମାଝଡର ପ୍ରଭାବ ଦେଖିବାକୁ ମିଳିବ । ୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ । ଏଥିସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୨୭ ତାରିଖରେ ଉପକୂଳ ଓଡ଼ିଶାରେ ୧୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ସମ୍ଭାବନା ରହିଛି । ପୂର୍ବ ପଶ୍ଚିମାଝଡର ପ୍ରଭାବ ୧୫ ରୁ ୨୧ ତାରିଖ ଯାଏ ରହିଥିବା ବେଳେ ଆଗାମୀ ପଶ୍ଚିମାଝଡରେ ପ୍ରଭାବ ଯଥେଷ୍ଟ କମ୍ ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପଶ୍ଚିମାଝଡ ପ୍ରଭାବରେ କିଛି ମାତ୍ରାରେ ଦିନ ତାପମାତ୍ରା କମିବା ନେଇ ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ଅଞ୍ଚଳ ମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହାକୁ ଦୃଷ୍ଟିରେ ଆସନ୍ତା ୨୫ ତାରିଖ ଯାଏ ରଖି ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଦେଶରେ ଉତ୍ତର ତଥା ଉତ୍ତର-ପଶ୍ଚିମ ଭାଗରୁ ପଶ୍ଚିମାଝଡର ପ୍ରଭାବ ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ପଞ୍ଜାବ, ଜାମ୍ମୁ-କାଶ୍ମୀର, ଦିଲ୍ଲୀ ଏବଂ ଲଦାଖର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି ।
ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଛି । ରାଜ୍ୟରେ ପୂର୍ବାପେକ୍ଷା ଯଥେଷ୍ଟ ବର୍ଷା କମିଥିବା ବେଳେ ରାୟଗଡ଼ାର ଆର ଗୁଡ଼ାରେ ୩୩.୪ ମିମି ସର୍ବୋଚ୍ଚ ବର୍ଷା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୮.୫ ରେକର୍ଡ କରାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ପ୍ରତିଦିନ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେଉଛି । ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ବାୟୁମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପ ରହୁଥିବାରୁ ମଧ୍ୟାହ୍ନରେ ବର୍ଷା ହେଉଛି । ତେବେ ଆସନ୍ତା ୨୯ ରେ ଆଉ ଏକ ଟ୍ରାପ୍ ଲାଇନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଏପ୍ରିଲ ୩ ଯାଏ କାଳବୈଶାଖୀ ବର୍ଷା ହୋଇପାରେ । ଏହା ପ୍ରଭାବରେ ଘଣ୍ଟା ପ୍ରତି ପବନର ବେଗ ୬୦ ରୁ ୭୦ କିଲୋମଟର ରହିପାରେ । କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର