ଭୁବନେଶ୍ବର: ଆହୁରି 5ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଫଳରେ ଥଣ୍ଡା ପାଗ ଅନୁଭୂତ ହେବ । ଦକ୍ଷିଣ ଛତିଶଗଡ ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ସକ୍ରିୟ ରହିଛି । ଯାହାର ପ୍ରଭାବରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ସହ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ଷାର ପ୍ରଭାବକୁ ନେଇ ରାଜ୍ୟର ୧୭ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଆଦି ସବୁ ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିଯ ସେହିପରି ଗୋଟିଏ କିମ୍ବା ୨ ଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅବଶିଷ୍ଟ ଜିଲ୍ଲା ଯେପରିକି ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ବରଗଡ଼ରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ରହିଛି । ସେହିପରି କୁଆପଥର ବର୍ଷା ସହ ବିଜୁଳି ଘଡଘଡି ବର୍ଷା ଥିବାରୁ ସତର୍କ ସୂଚନା ଥିବା ଜିଲ୍ଲାଗୁଡ଼ିକୁ ସତର୍କତାର ସହ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଅମଳ ହେଉଥିବା ରବି ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।