ଭୁବନେଶ୍ବର:ଆସନ୍ତା ୩୦ ତାରିଖରୁ ରାଜ୍ୟରେ ବିସ୍ତୃତି ବର୍ଷାର ସମ୍ଭାବନା ରହିଛି । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେଧୀରେ ସାଧାରଣ ଅବସ୍ଥାନକୁ ଫେରୁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ଆସନ୍ତା ୩୦ ତାରିଖରୁ ବିସ୍ତୃତି ବର୍ଷା ହୋଇପାରେ । ଏଥିସହ ମୌସୁମୀ ନିମ୍ନଚାପ ରେଖା ଆଜି ରାଜସ୍ଥାନର ବିକାନେରରୁ ବାହାରି କୋଟା, ରାଇସେନ, ଦୁର୍ଗ ଏବଂ ପଶ୍ଚିମ ଦକ୍ଷିଣ-ଓଡିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବ । ତେବେ ଏହି ଲଘୁଚାପ କ୍ଷେତ୍ର କେନ୍ଦ୍ରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଥିବା ଜଣାପଡିଛି । ଏହା ସମୁଦ୍ରପତ୍ତନଠାରୁ ବାୟୁମଣ୍ଡଳର ୧.୫କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି ।
ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ସ୍ଥାନେସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହା ବି ପଢନ୍ତୁ... ଦୟା ନଦୀରେ ବନ୍ୟା ପରିସ୍ଥିତି: ଧୋଇଗଲା ପାଣ୍ଡିଆବିଲି-ତିରିମଲ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ