ଓଡିଶା

odisha

ETV Bharat / state

Weather Update: ସୃଷ୍ଟି ହେଲା ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

heavy rainfall alert for several district
heavy rainfall alert for several district

By

Published : Jun 25, 2023, 9:07 AM IST

Updated : Jun 25, 2023, 9:27 AM IST

ଭୁବନେଶ୍ବର:ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ତାତିରୁ ମିଳିଛି ନିସ୍ତାର । ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଲଘୁଚାପ ପ୍ରଭାବରେ ଆଗାମୀ 2 ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ମଧ୍ୟ ରହିଛି । ତେଣୁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 13ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା 27 ତାରିଖରେ ବର୍ଷାର ପରିମାଣ କମିବା ନେଇ କୁହାଯାଉଛି । ଜୁନ 23 ତାରିଖରେ ସମ୍ପୂର୍ଣ୍ଣ ଓଡିଶାକୁ ଅଗ୍ରସର ହୋଇଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ରାଜ୍ୟରେ 21.3 ମିମି ବର୍ଷା ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ବର୍ଷା 8.9 ମିମି ତୁଳନାରେ 139 ପ୍ରତିଶତ ଅଧିକ । ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ 52.5 ମିମି ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ତୁଳନାରେ ଏଠାରେ 591 ପ୍ରତିଶତ ଅଧିକ ରହିଥିଲା । ଗତ 22 ତାରିଖରେ ଓଡିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ । ଏହାର ପ୍ରଭାବରେ ପ୍ରଥମେ ଖୋର୍ଦ୍ଧା,କଟକ, ମାଲକାନଗିରି, କୋରାପୁଟ ଏବଂ ଗଜପତିର କିଛି ସ୍ଥାନରେ ବର୍ଷା ହୋଇଥିଲା । କେରଳ ମୌସୁମୀ ଛୁଇଁବା ପରେ ରାଜ୍ୟରେ ସାମାନ୍ୟ ବର୍ଷା ହୋଇଥିଲା । କିନ୍ତୁ ମୌସୁମୀ ଛୁଇଁବାରେ ବିଳମ୍ବ ହେବାରୁ ଡହ ଡହ ଖରା ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 25, 2023, 9:27 AM IST

ABOUT THE AUTHOR

...view details