ଭୁବନେଶ୍ବର:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 12 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । କିଛି ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଗତକାଲିର ଘୂର୍ଣ୍ଣିବଳୟ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ 7.6 କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରର ସମାନ ଅଞ୍ଚଳରେ ଆଗାମୀ 12 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-Weather Update: ସୃଷ୍ଟି ହେଲା ଆଉ ଏକ ଲଘୁଚାପ, 2 ଦିନ ରାଜ୍ୟରେ ପ୍ରବଳ ବର୍ଷିବ !
ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତୀବ୍ର ବୃଷ୍ଟି ପାତ ଜାରି ରହିଛି । ଏଥିସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ଠାରୁ ଆସନ୍ତା 21 ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୋଳ ଓ ଦେବଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ବର୍ଷା ହେବା ସାଙ୍ଗକୁ ଏହାର ପରିମାଣ ମଧ୍ୟ ବୃଦ୍ଧି ହୋଇପାରେ।
ଏହା ମଧ୍ୟ ପଢନ୍ତୁ-Weather Update: ଲଘୁଚାପ ପ୍ରଭାବରେ ଭିଜୁଛି ଓଡିଶା, ଅନୁଗୋଳରେ ସର୍ବାଧିକ ବର୍ଷା ରେକର୍ଡ
ରାଜ୍ୟକୁ ମୌସୁମୀ ଛୁଇଁବା ପରେ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ 8 ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ 18ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । 11ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ 20ରୁ 59 ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ ଦିନରେ ହେବାକୁ ଥିବା ବର୍ଷା ନିଅଣ୍ଟିଆ ଭରଣ କରିବା ସମ୍ଭବ ନୁହେଁ । ଗତ ଜୁଲାଇ 29 ତାରିଖରେ ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ।