ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ମୌସୁମୀ ସହ ସକ୍ରିୟ ଲଘୁଚାପ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା। ଆଜି ପାଗରେ କିଛିଟା ପରିବର୍ତ୍ତନ ହୋଇଥିବାବେଳେ ଆସନ୍ତାକାଲିଠାରୁ କମିବ ବର୍ଷାର ପରିମାଣ। ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ନେଇ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ଅର୍ଥାତ୍ ୯.୪ ମିଲିମିଟର ତୁଳନାରେ ୮୫% ଅଧିକ ରହିଛି । ସେହିପରି ବରଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୬୭.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ବରଗଡରେ ରେକର୍ଡ ହୋଇଥିବା ବର୍ଷାର ପରିମାଣ ସ୍ୱାଭାବିକ ବର୍ଷା ୯.୪ ମିଲିମିଟର ତୁଳନାରେ ୬୨୦% ଅଧିକ ରହିଛି।
24 ଘଣ୍ଟାରେ ପ୍ରବଳ ଛେଚିବ, କାଲିଠୁ କମିବ ବର୍ଷାର ପରିମାଣ - heavy rain to lash odisha
ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ
ଦୀର୍ଘ ପ୍ରତୀକ୍ଷାର ଅନ୍ତ ପରେ ରାଜ୍ୟକୁ ମୌସୁମୀ ଛୁଇଁଛି। ଚଳିତ ବର୍ଷ ମୌସୁମୀ ଅପେକ୍ଷାକୃତ ବିଳମ୍ବରେ ଛୁଇଁଥିଲେ ମଧ୍ୟ ଲଗାଣ ବର୍ଷା କାରଣରୁ ତାତିରୁ ତ୍ରାହି ମିଳିଛି। ପାଗ ଅନୁକୂଳ ଥିବାରୁ ବିଭିନ୍ନ ସ୍ଥାନରେ ଚାଷୀମାନେ ଚାଷ କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଚଳିତ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଲାଭବାନ ହେବା ଆଶାରେ ରହିଛି ଚାଷୀ। ତେବେ ବୁଧବାରଠାରୁ ବର୍ଷାର ପରିମାଣ କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଏହାସହ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଇଟିଭି ଭାରତ, ଭୁବନେଶ୍ବର