ପ୍ରବଳ ବର୍ଷାକୁ ନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ବର: ଆସୁଛି ଆଉ ଏକ ବଡ ବର୍ଷା । ଓଡ଼ିଶାରେ ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ନେଇପାରେ ଲଘୁଚାପର ରୂପ । ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ପାଗ ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଏହି ଲଘୁଚାପ ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଓଡିଶାରେ ବଢିବ ବର୍ଷାର ପରିମାଣ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ପ୍ରବଳ ବର୍ଷାକୁ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେ ସବୁ ଜିଲ୍ଲା ଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ।
ଅଧିକ ପଢ଼ନ୍ତୁ: Weather Update: ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
ସେହିପରି ଆସନ୍ତାକାଲି (ଶୁକ୍ରବାର) ରାଜ୍ୟର ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ବେଳେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ୧ ଜୁନରୁ ଆଜି ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭ ପ୍ରତିଶତ କମ ରହିଛି ।
ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ତୁଳନାରେ ୪୨% ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ ରହିଛି । ଏହାସହ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା , ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୧୦.୮ ମିମି ତୁଳନାରେ ୫୩% କମ ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର