ଭୁବନେଶ୍ବର:ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ତେବେ ଆହୁରି ୪ ଦିନ କଲବଲ କରିବ ତାତି । ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିବ। ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନ ରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବନାହିଁ। ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
୪ ଦିନ ଅର୍ଥାତ ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷା ର ପରିମାଣ ବଢିବା ସହ ତାପମାତ୍ରା କିଛି ହ୍ରାସ ପାଇବ। ତେବେ ବର୍ତ୍ତମାନ ଦକ୍ଷିଣ ଓ ଦକ୍ଷିଣ - ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଛି ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇଛି। ଏହାସହ ଉପକୂଳରେ ଆର୍ଦ୍ରତା ର ପରିମାଣ ୪୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବ୍ୟସ୍ତ କରୁଛି। ତେଣୁ ଆସନ୍ତା ୨୧ ତାରିଖ ଏଭଳି ସ୍ଥିତି ଲାଗି ରହିବ ସହ ତାତିରୁ ତ୍ରାହି ନାହିଁ ବୋଲି କହିଛି ପାଣିପାଗ ବିଭାଗ ।
ସେହିପରି ଆସନ୍ତାକାଲି ଖରା ସହ ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ ,ରାୟଗଡା ,କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଗଞ୍ଜାମ, ପୁରୀ ସମ୍ବଲପୁର , ଜଗତସିଂହପୁରରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ଣ୍ଣି ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେହିପରି ବିଜୁଳି ଘଡଘଡି ସହ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଦିଆଯାଇଛି।