ଭୁବନେଶ୍ବର:ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(BSKY)କୁ ନେଇ ଜନସାଧାରଣଙ୍କୁ ସଚେତନତା । BSKY ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । BSKY ସେଲ୍ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ସେ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ହେଲା BSKYରେ ବଡ଼ ଘୋଟାଲା ପଦାକୁ ଆସିଛି । ଏହି ବଡ ଜାଲିଆତି ଘଟଣା ପରେ BSKY ତାଲିକାରୁ ବାଦ ପଡିଛି କଟକର ସାଉଥ ପଏଣ୍ଟ ହସ୍ପିଟାଲ । ସାଉଥ ପଏଣ୍ଟ ହସ୍ପିଟାଲର ମାଲିକ ସମେତ 5 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ ଘଟଣାକୁ ଗୁରୁତ୍ୱର ସହ ନେବା ପାଇଁ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ଆଗାମୀ ଦିନରେ BSKY ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୋ ସରକାର ବ୍ୟବସ୍ଥାରେ ଶତ ପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ କୁହାଯାଇଥିଲା । ଏଥିପାଇଁ ଟୋଲ୍ ଫ୍ରି ନମ୍ବର 104(କଲ୍ ସେଣ୍ଟର୍) ଏବଂ 155369(କାର୍ଡ ସମ୍ବନ୍ଧୀୟ) ମାଧ୍ୟମରେ ଗ୍ରହଣ କରାଯାଇଥିବା ଅଭିଯୋଗର ସମାଧାନ ପାଇଁ ସେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସୋସିଆଲ ମିଡିଆ ସମେତ ବିଭିନ୍ନ ୱିଣ୍ଡୋ ମାଧ୍ୟମରେ ଗ୍ରହଣ କରାଯାଇଥିବା ୯୫ ପ୍ରତିଶତରୁ ଅଧିକ ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୈଠକରେ BSKY ପ୍ରଦର୍ଶନ ଅନୁଯାୟୀ ରାଜ୍ୟ ଭିତରେ ଓ ବାହାରେ ଥିବା ଡାକ୍ତରଖାନାଗୁଡ଼ିକର ରାଙ୍କିଂ ଏବଂ ମାନଦଣ୍ଡ ଉପରେ ବିଚାର ବିମର୍ଶ କରାଯାଇଛି । ଅନ୍ୟ ସେବା କୈନ୍ଦ୍ରିକ ସହଯୋଗୀ ମାନଦଣ୍ଡ ସହିତ ରାକିଂର ମୁଖ୍ୟ ମାନଦଣ୍ଡ ଭାବରେ ରୋଗୀଙ୍କ ସନ୍ତୁଷ୍ଟି ସ୍ତରକୁ ନେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।