ଭୁବନେଶ୍ବର:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ପରଲୋକ । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଗୁଳିମାଡ଼ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଡାକ୍ତରଙ୍କର ବହୁ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଜୀବନ ରକ୍ଷା କରଯାଇପାରି ନାହିଁ । ୬୧ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି । ପୋଷ୍ଟମର୍ଟମ ଲାଗି ନବଙ୍କ ମୃତ୍ୟୁଦେହ କ୍ୟାପିଟାଲ ହସ୍ପିଟାଲକୁ ନିଆଯିବ । ରାଜ୍ୟର ଏକ ବଡ଼ ଧରଣର ଘଟଣାକ୍ରମେ ପଶ୍ଚିମ ଓଡିଶାର ଟାଣୁଆ ରାଜନେତା ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଜଣେ ପୋଲିସ କର୍ମଚାରୀଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି ।
ଗୁଳିମାଡ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପରେ ହେଲିକେପ୍ଟର ଯୋଗେ ଭୁବନେଶ୍ବରର ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ଆପୋଲୋ ହସ୍ପିଟାଲରେ ନବଙ୍କ ଛାତିରେ ଅପରେସନ କରାଯାଇଥିଲା । ତାଙ୍କର ଓପନ ହାର୍ଟ ସର୍ଜରୀ ହୋଇଥିଲା । ନବଙ୍କ ବାମ ପଟ ଛାତିରେ ଗୋଟିଏ ଗୁଳି ପଶି ଆରପାର ହୋଇଯାଇଥିବା ଜଣାପଡିଛି । ନବଙ୍କ ହାର୍ଟ ଓ ବାମ ଫୁସଫୁସ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ବହୁ ମାତ୍ରାରେ ରକ୍ତସ୍ରାବ ହୋଇଯାଇଥିଲା । ହୃଦୟର ପମ୍ପିଙ୍ଗ କରାଯାଇଥିଲା ।