ଭୁବନେଶ୍ବର:କୋଭିଡ ସଂକ୍ରମଣକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ସାରା ଦେଶରେ କୋରୋନା ସଂକ୍ରମଣ ବଢ଼ୁଛି । ଗତକାଲି ୧୮୯୦ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ କେସ ସଂଖ୍ୟା ୯୪୦୦ରେ ପହଞ୍ଚିଛି । ମହାରାଷ୍ଟ୍ର, ତାମିଲନାଡୁ , କେରଳ, ତେଲେଙ୍ଗାନାରେ ଅଧିକ କେସ ବଢିଥିବା ବେଳେ ଆମ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ ନୂଆ ପଜିଟିଭ । ଏନେଇ ଆକ୍ଟିଭ କେସ ସଂଖ୍ୟା ୮୭ରେ ପହଞ୍ଚିଛି । ତେଣୁ ସତର୍କତା ପାଇଁ ସବୁ ଜିଲ୍ଲାକୁ ଚିଠି ଲେଖି ଆଲର୍ଟ କରାଯାଇଥିବା ବେଳେ ସବୁ ଲକ୍ଷଣଯୁକ୍ତଙ୍କ କୋଭିଡ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ପଜିଟିଭ ବାହାରିଲେ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ମଧ୍ୟ ଟେଷ୍ଟ କରାଯିବ । ହୋମ ଆଇସୋଲେସନରେ ରହିଲେ ଯୋଗାଇ ଦିଆଯିବ ମେଡ଼ିସିନ । ଟେଷ୍ଟିଂ କିଟ, ଔଷଧ, ଅକ୍ସିଜେନ ମହଜୁଦ ସୁନିଶ୍ଚିତ ରଖିବାକୁ ସବୁ ସିଡିଏମଓଙ୍କୁ ନିର୍ଦ୍ଦେଶ । ଏଥିସହ ଗୋଟିଏ ସ୍ଥାନରୁ ଏକାଧିକ କେସ ବାହାରିଲେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାକୁ ନିର୍ଦ୍ଦେଶ । ସବୁ ରାଜ୍ୟର କୋଭିଡ ସ୍ଥିତି ନେଇ ଆଜି ଅପରାହ୍ନ ୪ଟାରେ କେନ୍ଦ୍ର ସରକାର ସମୀକ୍ଷା କରିବେ । ମକ ଡ୍ରିଲ ନେଇ ହୋଇପାରେ ଆଲୋଚନା । ଏନେଇ ବୈଠକରେ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଦିଆଯିବ ନିର୍ଦ୍ଦେଶ ।
ଅନ୍ୟପଟେ କୋଭିଡ ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ମକ ଡ୍ରିଲ କରାଯିବ । ଏପ୍ରିଲ ୧୦ ଏବଂ ୧୧ ତାରିଖରେ ହୋଇପାରେ ମକ୍ ଡ୍ରିଲ୍ । ଏନେଇ ଆଜି ହୋଇପାରେ ଆଲୋଚନା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ରାଜ୍ୟ କେତେ ପ୍ରସ୍ତୁତ ରହିଛି କୋଭିଡ ପରିଚାଳନାରେ । ହସ୍ପିଟାଲରେ ଟେଷ୍ଟିଂ, ମେଡିସିନ, ଅକ୍ସିଜେନ୍ ଆଦି ସଠିକ ଭାବରେ ସୁବିଧା ଯୋଗାଇ ଦିଆଯାଉଛି ନା ନାହିଁ ସେନେଇ ହେବ ଆଲୋଚନା ।