ଓଡିଶା

odisha

Scrub Typhus: ସ୍ବାସ୍ଥ୍ୟ ବିଭାଗର ସତର୍କତା, ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା ପାଇଁ ପରାମର୍ଶ

By ETV Bharat Odisha Team

Published : Sep 16, 2023, 5:44 PM IST

ସ୍କ୍ରବ ଟାଇଫସ ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା କରାଇବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ

scrub typhus alert
ସ୍କ୍ରବ ଟାଇଫସ ପାଇଁ ସ୍ବାସ୍ଥ୍ୟ ବିଭାଗର ସତର୍କତା

ସ୍କ୍ରବ ଟାଇଫସ ପାଇଁ ସ୍ବାସ୍ଥ୍ୟ ବିଭାଗର ସତର୍କତା

ଭୁବନେଶ୍ବର:ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା। ସ୍କ୍ରବ ଟାଇଫସ ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା କରାଇବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ବୁର୍ଲା ଭିମସାରରେ ୨୨ରୁ ଉର୍ଦ୍ଧ୍ବ ଲୋକଙ୍କଠାରେ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି। ଏପଟେ ସ୍କ୍ରବ ଟାଇଫସରେ ମୃତ୍ୟୁକୁ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ସବୁ ଜିଲ୍ଲାରେ ସ୍କ୍ରବ ଟାଇଫସ ପରୀକ୍ଷା ବ୍ୟବସ୍ଥା ଅଛି। ଯେଉଁଠି ସନ୍ଦେହ ହେଉଛି, ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କୁ କୁହାଯାଇଛି। ସମସ୍ତ ଡେଥ୍ କେସକୁ ନେଇ ବର୍ତ୍ତମାନ ସମୟରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ କୌଣସି କୀଟନାଶକ ସିଞ୍ଚନର ମାର୍ଗଦର୍ଶିକାରେ ନାହିଁ। ସମସ୍ତ କୀଟନାଶକର ପରିବେଶ ଉପରେ କୁପ୍ରଭାବ ରହିଛି । ଛୋଟ ଜାଗାରେ କୀଟ ଥିଲେ କୀଟନାଶକ ସିଞ୍ଚନ ହୋଇପାରିବ। ହେଲେ ବିସ୍ତୃତ ଅଞ୍ଚଳରେ କୀଟନାଶକ ସିଞ୍ଚନ ହୋଇପାରିବ ନାହିଁ। ତେଣୁ କୀଟନାଶକ ସିଞ୍ଚନ ସେତେଟା ପ୍ରଭାବଶାଳୀ ନୁହେଁ।"

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନଥିବା ବେଳେ ସ୍କ୍ରବ ଟାଇଫସ ମୁଣ୍ଡ ବିନ୍ଧାର କାରଣ ସାଜିଛି । ବୁର୍ଲା ଭିମସାରରେ ୨୨ରୁ ଉର୍ଦ୍ଧ୍ବ ଲୋକଙ୍କଠାରେ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିବ ବେଳେ ସୁନ୍ଦରଗଡ ଓ ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି। ତେବେ ଗତ ୨ ଦିନ ମଧ୍ୟରେ ସୁନ୍ଦରଗଡ଼ରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସ ଓ ଲେପଟୋସ୍ପାଇରୋଶିସର ପ୍ରତିକାର ପାଇଁ ସମସ୍ତ ଜିଲ୍ଲାର ସିଡିଏମଓ ଏବଂ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଏହା ବି ପଢନ୍ତୁ...ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ, ଜ୍ବର କି ଥଣ୍ଡା ହେଲେ ତୁରନ୍ତ ପରୀକ୍ଷା କରିବାକୁ ସ୍ବାସ୍ଥ୍ଯ ବିଭାର ନିର୍ଦ୍ଦେଶ

ସ୍କ୍ରବ ଟାଇଫସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟର ସମସ୍ତ ହସ୍ପିଟାଲରେ ଡିପିଏଚଏଲ ମାଧ୍ୟମରେ ରୋଗର ଟେଷ୍ଟିଂ କରାଯିବ। ଏହାସହ ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରୀ ଦଳମାନଙ୍କ ଦ୍ୱାରା ରୋଗର ସର୍ଭେଲାନ୍ସ କରାଯିବା ସହ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ୍ ସର୍ଭେଲାନ୍ସ ୟୁନିଟକୁ ଅବଗତ କରାଯିବ। ସେହିପରି ହସ୍ପିଟାଲରେ ଔଷଧ ଓ ଆଣ୍ଟିବାୟୋଟିକ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ତଥା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଜାରି କରାଯାଇଛି।


ଏହି ରୋଗ ସାଧାରଣତଃ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ଚାଷଜମି ବା ଜଙ୍ଗଲ ଯାଉଥିବା ଲୋକ ସାଧାରଣତଃ ଏହି ରୋଗର ଶୀକାର ହେଉଛନ୍ତି। ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା ହେବା ଆଦି ଏହି ରୋଗର ଲକ୍ଷଣ ରହିଛି। ଏହି ରୋଗରେ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଶରୀରର ଯେଉଁ ସ୍ଥାନକୁ ଏହି କୀଟଟି କାମୁଡ଼େ ସେଠାରେ ସ୍କିନ ଡେଡ୍‌ ହୋଇଯାଏ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲରେ ଥିବା ଡିଷ୍ଟ୍ରିକ୍ଟ ପବ୍ଲିକ ହେଲ୍‌ଥ ଲାବରୋଟୋରୀ (DPHL)ରେ ଏଲିଶା (ELISA) ପଦ୍ଧତିରେ ଚିହ୍ନଟ ହେବାର ବ୍ୟବସ୍ଥା ରହିଛି। ତେବେ "ରୋଗୀ ଚିହ୍ନଟ ହେବା ପରେ ଚିକିତ୍ସା ସହଜ ହେବ। ସାଧାରଣ ଆଣ୍ଟିବାୟୋଟିକ କାମ ଦେବ। ଯାହାର ଜ୍ୱର କମୁନି, ସେ ପରୀକ୍ଷା କରିନେବା ଜରୁରୀ। କେନ୍ଦୁଝର, ବରଗଡ଼, ନବରଙ୍ଗପୁର, ଓ ସୁନ୍ଦରଗଡ଼ରୁ ଏହି କେସ୍‌ ଗୁଡ଼ିକ ଅଧିକ ଆସୁଛି" ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details