ଭୁବନେଶ୍ବର:ରାଜ୍ୟରେ କ୍ରମାଗତ ବଢିବାରେ ଲାଗିଛି ସର୍ପାଘାତ ମୃତ୍ୟୁ ମାମଲା । ସର୍ପାଘାତ ମୃତ୍ୟୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡଲାଇନ ଜାରି କରିଛି । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ।
ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଯଥାସମ୍ଭବ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହଯାଇଛି । ସେହିପରି ସମସ୍ତ ହସ୍ପିଟାଲରେ ଔଷଧ ଓ ଟେଷ୍ଟିଂ ମାଗଣାରେ ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବା ନେଇ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହା ସହ ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତ୍ୟେକ ଦିନ ବିଭାଗକୁ ଦେବେ ହସ୍ପିଟାଲ କର୍ତ୍ତୃପକ୍ଷ । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବେ । ହଷ୍ଟେଲରେ ଯେପରି ମୂଷା, ବେଙ୍ଗ ନପଶିପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।
ସୂଚନା ଅନୁଯାୟୀ, ମୌସୁମୀ ବର୍ଷା ଓ ବନ୍ୟା ହେବା ଫଳରେ ଶହ ଶହ ସଂଖ୍ୟାରେ ସାପ ବାହାରେ ବୁଲିଥାନ୍ତି । ଲୋକମାନେ ଅନେକ ସମୟରେ ସାପ କାମୁଡାର ଶିକାର ହୋଇଥାନ୍ତି । ତେବେ ସାପ କାମୁଡିବା ଦ୍ବାରା ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।