ଭୁବନେଶ୍ବର: ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ କ୍ଲାସ କରୁନାହାଁନ୍ତି । ସ୍କୁଲ ସମୟରେ ସେମାନେ ବିଦ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏମିତିକି ସ୍କୁଲର ଅନ୍ୟ ଶିକ୍ଷକମାନେ ପଢ଼ାଉଛନ୍ତି କି ନାହିଁ ତାହା ତଦାରଖ ପାଇଁ ମଧ୍ୟ ପ୍ରଧାନଶିକ୍ଷକ ମାନଙ୍କ ପାଖରେ ସମୟ ରହୁନି । ଏହାରି ମଧ୍ୟରେ ଗଣଶିକ୍ଷା ବିଭାଗର ଚିଠିକୁ ବିତିଛି ଦୁଇ ବର୍ଷ । ହେଲେ ଅନେକ ସ୍କୁଲ ରହିଛି ଯେଉଁଠାରେ କି ପ୍ରଧାନ ଶିକ୍ଷକଙ୍କ ଉପରେ ଅନେକ ସ୍କୁଲର କାର୍ଯ୍ୟ ଚାପ ରହିଛି । ଯାହା ଫଳରେ ଅନେକ ପ୍ରଧାନ ଶିକ୍ଷକ ମାନେ ଆଜିପର୍ଯ୍ୟନ୍ତ ବି ଠିକ ଭାବରେ କ୍ଲାସ କରି ପାରୁନାହାଁନ୍ତି ।
ଏନେଇ ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ ଖାନ କହିଛନ୍ତି ଯେ, କେବଳ ଚିଠି ଦ୍ଵାରା ନିର୍ଦ୍ଦେଶ ନୁହେଁ ଏହା ପୂର୍ବରୁ ଷ୍ଟାଡିଂ କମିଟି ରହିଛି । ପ୍ରଧାନ ଶିକ୍ଷକ ମାନେ ଦୁଇଟି ବା ତିନୋଟି କ୍ଲାସ କରିବେ । ଯାହା ମୁଖ୍ୟ ବିଷୟ ଯେପରିକି ଗଣିତ ଇଂରାଜୀ ଓ ବିଜ୍ଞାନ ଭଳି ବିଷୟ ନେଉଛନ୍ତି । କିନ୍ତୁ ସ୍କୁଲର ଅନେକ କାମ ଚାପ ଯୋଗୁଁ ଏହି କ୍ଲାସ ନେବାରେ ବିଫଳ ହେଉଛନ୍ତି ପ୍ରଧାନ ଶିକ୍ଷକମାନେ । ପ୍ରଧାନ ଶିକ୍ଷକ ମାନେ କ୍ଲାସ ନେଲେ ଶିକ୍ଷାଦାନରେ ଉନ୍ନତି ହେବ । ଯାହାଫଳରେ ପିଲାଙ୍କର ଜ୍ଞାନ ବଢିବା ସହ ସ୍କୁଲର ରେଜଲ୍ଟ ମଧ୍ୟ ଭଲ ହେବ ବୋଲି କହିଛନ୍ତି ।
ଏନେଇ ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ପ୍ରଧାନ ଶିକ୍ଷକ ମାନେ କ୍ଲାସ ରୁମରେ ପାଠ ପଢ଼ାଉଥିଲେ । ଏହା ଜାରି ରହିବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ଏହି ଚିଠିକୁ ଦୁଇ ବର୍ଷ ବିତି ଯାଇଛି । ୨୦୨୧ ମସିହା ଏପ୍ରିଲ୍ ମାସରୁ ୨୦୨୩ ଏପ୍ରିଲ୍ ମାସ । କିନ୍ତୁ ଅନେକ ପ୍ରଧାନ ଶିକ୍ଷକ ମାନେ କ୍ଲାସ କରୁନଥିବା ସୂଚନା ରହିଛି । ଏହାରି ମଧ୍ୟରେ ପ୍ରଶାସନିକ ସ୍ତରରେ ଦୂରତା ରହିଛି । ତେଣୁ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ ଯେଉଁ ମାନେ କ୍ଲାସ କରୁନାହାନ୍ତି ସେମାନଙ୍କୁ ଅନୁରୋଧ ସେମାନେ ଦୁଇଟି ବା ତିନୋଟି କ୍ଲାସ କରନ୍ତୁ । ଏହା ସହ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ମଧ୍ୟ ଅନୁରୋଧ ଯେ, ସତରେ ପ୍ରଧାନ ଶିକ୍ଷକ ମାନେ ସେମାନେ କ୍ଲାସ କରୁଛନ୍ତି କି ନାହିଁ ତାହା ସମୀକ୍ଷା କରନ୍ତୁ । ସେମାନେ ଯଦି କ୍ଲାସ କରିବେ ପିଲାମାନେ ବେଶ୍ ଉପକୃତ ହେବେ ଏବଂ ଭଲ ପାଠ ପଢା ହେବ ସହ ସ୍କୁଲରେ ଭଲ ରେଜଲ୍ଟ ମଧ୍ୟ କରିବ ବୋଲି କହିଛନ୍ତି ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ।
ଏପଟେ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ରହିଥିଲା ଯେ, ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକ ମାନେ ଦୈନିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦୁଇଟି କ୍ଲାସ କରିବେ । ପ୍ରଧାନଶିକ୍ଷକ ମାନେ ଦୁଇଟି କ୍ଲାସ କରିବା ଉଚିତ୍ । ଯାହା ମଡେଲ କ୍ଲାସ ହେବ ଆବଶ୍ୟକ ତେବେ ଶିକ୍ଷକମାନେ ସେ ସବୁକୁ ଅନୁସରଣ କରିବା ଆବଶ୍ୟକ । ଏପରି ସ୍କୁଲରେ ପ୍ରଧାନ ଶିକ୍ଷକ ମାନେ ଏକାଧିକ କ୍ଲାସ କରୁଛନ୍ତି ।