ଖୋର୍ଦ୍ଧା: ଓଡ଼ିଶାର ‘ଲଦାଖ’ ଭାବେ ଏବେ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚିତ ଖୋର୍ଦ୍ଧା ନିକଟ ନିଜିଗଡ଼ ତାପଙ୍ଗରେ ଥିବା ହାତିଆ ପାହାଡ଼ । ଆଉ ଏଠାରେ ମନୁଷ୍ୟକୃତ ଭାବେ ଖୋଳା ହୋଇଥିବା ପାହାଡ଼ରେ ପ୍ରକୃତି ରାଣୀ ଯେମିତି ଢାଳିଦେଇଛି ତାର ଅପରୂପ ଶୋଭା । ଚାରିପଟେ ଅଧାକଟା ପାହାଡ଼ ଆଉ ପାହାଡ଼ ତଳେ ନୀଳ ଜଳରାଶିରେ ପରିପୂର୍ଣ୍ଣ ଜଳାଶୟ । ଏଠାକୁ ଥରେ ନଗଲେ କେହି ବିଶ୍ୱାସ କରିପାରିବେନି ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଏହି ସ୍ଥାନକୁ ।
ଖୋର୍ଦ୍ଧା ସହରଠାରୁ ଅନତି ଦୂରରେ ଥିବା ନିଜିଗଡ଼ ତାପଙ୍ଗରେ ଏହି ଅପରୂପ ଶୋଭାରାଜି ପର୍ଯ୍ୟଟକଙ୍କୁ ହାତଠାରି ନିମନ୍ତ୍ରଣ ଦେଉଛି । ଏହା ‘ଲେହ ଲଦାଖ’ର ଭ୍ରମ ସୃଷ୍ଟି କରୁଛି । ଏହା କୌଣସି ପର୍ଯ୍ୟଟନ ସ୍ଥଳୀ ନୁଁହ କିନ୍ତୁ ସୋସିଆଲ ମିଡ଼ିଆରେ ଏହି ସ୍ଥାନର ସୌନ୍ଦର୍ଯ୍ୟଭରା ଫୋଟୋ ଘୁରିବୁଲିବା ପରେ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଖାଲି ପର୍ଯ୍ୟଟକ ନୁହଁନ୍ତି ଏହି ମନୁଷ୍ୟକୃତ ସ୍ଥାନଟିରେ ଏବେ ବିଭିନ୍ନ ସିନେମାର ଗୀତ, ଅଲବମ ଏବଂ ଫୋଟୋଗ୍ରାଫି ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଛନ୍ତି ଲୋକ ।