ଭୁବନେଶ୍ବର:ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି ହୋଇଛି । 1000 ଟଙ୍କା ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ ଖୋଲା ଯାଇଛି । ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି ।
ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା ସହାୟତାକୁ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥି ନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲା ଯାଇଛି । ପ୍ରତି ପଞ୍ଚାୟତକୁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି । ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି ।
ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି । ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍ସଟେନସନ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍ସଟେନସନ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।