ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପଠାଇଲା ସେରିଫେଡ । ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ ଆନୁକୂଲ୍ୟରେ ବାସୁଙ୍ଗାପାଟ ପଠାଯାଇଛି । ସେରିଫେଡ କାର୍ଯ୍ୟାଳୟରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଶ୍ରୀଜଗନ୍ନାଥଙ୍କର ବାସୁଙ୍ଗାପାଟର ମହତ୍ୱ ସଂପର୍କରେ ବକ୍ତବ୍ୟ ରଖିଛନ୍ତି । ସେରିଫେଡସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ସେରିଫେଡର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସେରିଫେଡର ସଂପାଦକ ଡ. ପୁରୁଷୋତ୍ତମ ଦାଶ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ସହିତ ବୃକ୍ଷରୋପଣ କରିଛନ୍ତି । ଅତିଥିମାନେ ସେରିଫେଡ କାର୍ଯ୍ୟାଳୟ ପରିସରରେ ୩୦୦ କିଲୋଗ୍ରାମ ବାସୁଙ୍ଗାପାଟ ପ୍ରେରଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ସେରିଫେଡ ଶୀର୍ଷ ସମବାୟ ସଂସ୍ଥା ରାଜ୍ୟର ଟସର ଓ ରେଶମ ପାଳକମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛି । ଉକ୍ତ ସଂସ୍ଥା ରାଜ୍ୟର ରେଶମ ଉତ୍ପାଦକମାନଙ୍କର ସହଯୋଗ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ବେଳେ ସେରିଫେଡ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ବାସୁଙ୍ଗାପାଟ ଯୋଗାଇ ଆସୁଛି । ତେବେ ବାସୁଙ୍ଗାପାଟ ହେଉଛି ଏକ ସ୍ୱତନ୍ତ୍ର ଧରଣର ପାଟ ଦଉଡ଼ି । ଯାହାକି ମଲବରି ସୂତାକୁ ପ୍ରକ୍ରିୟାକରଣ ଓ ରଙ୍ଗ କରି ଶ୍ରୀମନ୍ଦିର ପ୍ରଶାସନ, ପୁରୀର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଏ । ଏହି କଞ୍ଚାମାଲ ଗଜପତି ଜିଲ୍ଲାର ମୋହନା, ଆର ଉଦୟଗିରି ବ୍ଲକର ଆଦିବାସୀ ମଲବରି କୋଷା ଉତ୍ପାଦନକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।