ଭୁବନେଶ୍ବର:ଚଳିତ ବର୍ଷ ହେବ ନାହିଁ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି । ମହାପ୍ରଭୁ କପିଳେଶ୍ବରଙ୍କ ପାଳିଆ ମଳିଆ ସେବାୟତମାନେ କପିଳନାଥଙ୍କ ନୀତିକାନ୍ତିରେ ସହଯୋଗ କରିନଥିବାରୁ ବନ୍ଦ ହେଲା ହାଣ୍ଡିଭଙ୍ଗା ନୀତି। ଆଜି ରାତିରେ ହାଣ୍ଡିଭଙ୍ଗା ନୀତି ହେବାକୁ ଥିବା ବେଳେ ବିଧି ମୁତାବକ ହାଣ୍ଡିଭଙ୍ଗା ନୀତି ପାଇଁ ସକାଳୁ ଯେଉଁ ନୀତିକାନ୍ତି ହୋଇଥାଏ ତାହା ହୋଇପାରିନାହିଁ । ଏଣୁ କପିଳେଶ୍ବରଙ୍କ ନୀତିକାନ୍ତିରେ ଆଜି ବିଭ୍ରାଟ ସୃଷ୍ଟି ହୋଇଛି ।
ଖାଲି ସେତିକି ନୁହେଁ ସେବାୟତଙ୍କ ସେବାକୁ ନ ଆସିବା ଲାଗି ଜିଦକୁ ପାଇଁ ଉପାସରେ ରହିଲେ କପିଳନାଥ । ଏନେଇ ଆଜି କପିଳେଶ୍ବର ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁ ଓ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା କର୍ମକର୍ତ୍ତାଙ୍କ ସହ ଖୁଣ୍ଟିଆ ସେବାୟତ ଯୋଗ ଦେଇଥିଲେ । ଏହି ବୈଠକରେ ମଲିଆ ସେବାୟତ ଗୋଷ୍ଠୀ ଯୋଗ ଦେଇନଥିଲେ। ପ୍ରଭୁ ଲିଙ୍ଗରାଜଙ୍କ କିଛି ନୀତି କପିଳେଶ୍ବରଙ୍କ ସହ ମିଳିତ ଭାବେ ହୋଇଥାଏ ।
ଗତ କିଛି ବର୍ଷ ହେବ ଏଭଳି କିଛି ବିବାଦ ଯୋଗୁଁ ବନ୍ଦ ରହିଛି ହାଣ୍ଡିଭଙ୍ଗା ନୀତି । ଆଉ ଚଳିତ ବର୍ଷ ବି ସେହି ବ୍ୟତିକ୍ରମକୁ ନେଇ ବନ୍ଦ ହେଲା ହାଣ୍ଡିଭଙ୍ଗା ନୀତି। ଉଭୟ ଲିଙ୍ଗରାଜ ମନ୍ଦିର ଓ କପିଳନାଥଙ୍କ ସେବାୟତମାନେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଏହାକୁ ନେଇ ସେବାୟତମାନଙ୍କୁ ଡାକି ପ୍ରଶାସନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିବା ବେଳେ ଏଥିରୁ କୌଣସି ନିଷ୍କର୍ସ ବାହାରି ନାହିଁ। କାରଣ ବୈଠକରେ ଯୋଗ ଦେଲେନି କପିଳନାଥଙ୍କ ପାଳିଆ ମଳିଆ ସେବାୟତ। ତେଣୁ ପ୍ରଶାସନ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।