ଓଡିଶା

odisha

ETV Bharat / state

ଓଡିଶାରୁ ପୁଣି ଦୁଇ ଜଣ H3N2 ସଂକ୍ରମିତ ଚିହ୍ନଟ, ୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଶାରୁ ପୁଣି ୨ଜଣ H3N2 ଆକ୍ରାନ୍ତ ଚିହ୍ନଟ । ତେବେ ତାପମାତ୍ରା ବୃଦ୍ଧି ସହିତ ଏହି ସଂକ୍ରମଣ ହ୍ରାସ ପାଇବ କହିଲେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଅଧିକ ପଢନ୍ତୁ

H3N2 cases in odisha
H3N2 cases in odisha

By

Published : Mar 16, 2023, 2:56 PM IST

ଓଡିଶାରେ H3N2 ଭାଇରସ

ଭୁବନେଶ୍ବର:ଦିନକୁ ଦିନ ଡରେଇବାରେ ଲାଗିଛିH3N2 ଭାଇରସ । ରାଜ୍ୟରୁ ପୁଣି ଦୁଇଜଣ H3N2 ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏହି ସଂଖ୍ୟା ୫୯ ରେ ରହିଥିବା ବେଳେ ଏବେ ବୃଦ୍ଧି ପାଇ ୬୧ରେ ପହଞ୍ଚିଛି । ସେପଟେ ତାପମାତ୍ରା ବୃଦ୍ଧି ସହ ସଂକ୍ରମଣ ହ୍ରାସ ପାଇବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି, "୧୪ତାରିଖ ସୁଦ୍ଧା ରାଜ୍ୟରେ ଆଉ ମାତ୍ର ଦୁଇ ଜଣ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 61କୁ ବୃଦ୍ଧି ପାଇଛି। ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଛନ୍ତି । ଯଦିଓ କୋଭିଡ ଭଳି ଏହି ଭୂତାଣୁର ଲକ୍ଷଣ ଏକା ତେବେ ଏହାକୁ ନେଇ ଚିନ୍ତା ବା ଆତଙ୍କିତ ହେବା ଉଚିତ ନୁହେଁ । ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଆସୁଥିବା ନମୁନାର ପରୀକ୍ଷା RMRCରେ କରାଯାଉଛି । ତାପମାତ୍ରା ବୃଦ୍ଧି ସହିତ ଏହି ସଂକ୍ରମଣ ହ୍ରାସ ପାଇବ । ବର୍ତ୍ତମାନ ରାଜ୍ୟରେ ଏହି ଗ୍ରାଫ ତଳମୁହାଁ ହୋଇଥିବା ଜଣାପଡୁଛି ।"


ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଏହି ଭାଇରସରେ ସଂକ୍ରମିତ ହେଲେ ୭ରୁ ୮ ଦିନ ମଧ୍ୟରେ ୯୫ ପ୍ରତିଶତ ଲୋକ ଭଲ ହୋଇଯାଆନ୍ତି । ଯେହେତୁ ପିଲାମାନେ ସ୍କୁଲରେ ମିଳିମିଶି ରୁହନ୍ତି । ତେବେ ଜଣଙ୍କୁ ହେଲେ ଅନ୍ୟ ଜଣଙ୍କୁ ଶୀଘ୍ର ଆକ୍ରାନ୍ତ ହେବାରେ ସମ୍ଭାବନା ରହିଛି । ଯାହା ଦେହରେ ଲକ୍ଷଣ ଦେଖାଯିବ ତାଙ୍କୁ ତୁରନ୍ତ ଟେଷ୍ଟ କରିବାକୁ କୁହାଯାଇଛି । ସତର୍କ ଅବଲମ୍ବନ କରି ଚଳିବାକୁ ନିର୍ଦ୍ଦେଶ ଦିଆଯାଉଛି ।"

ଏହା ସହ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "ଓଡ଼ିଶାରେ ସଂକ୍ରମଣ ଅଧିକ ନାହିଁ । ତେବେ ଆଗକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଶିଶୁ ବିଭାଗରେ ଡାକ୍ତରମାନଙ୍କ ସହିତ ଏକ ଏନେଇ ବୈଠକ ହୋଇଛି । କିଭଳି ଭାବରେ ଏହି ଭାଇରସର ମୁକାବିଲା କରାଯିବା ସେନେଇ ଆଲୋଚନା କରାଯାଇଛି ।"


ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଥଣ୍ଡା, କାଶ, ଜ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 61ଜଣ H3N2 ଭାଇରସ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ଏହି ଭୂତାଣୁରେ ସଂକ୍ରମିତ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟିଛି । କୋରୋନା ମାମଲା ବୃଦ୍ଧି ଉପରେ ନଜର ରଖିବା ସହ ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟିକାକରଣ ଓ କୋରୋନା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ହାତ ଧୋଇବା ଓ କରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଔଷଧ, ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖାଯାଉ ବୋଲି ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ବର୍ତ୍ତମାନ ସମୟରେ କୋରୋନା ପରେ ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି । H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details