ଭୁବନେଶ୍ବର: 2016 ମସିହା ଜୁଲାଇ 8 ତାରିଖରେ କନ୍ଧମାଳର ଗୁମୁଡୁମାହାରେ ପୋଲିସ ଯବାନଙ୍କ ଗୁଳିକାଣ୍ଡରେ ଜଣେ ନିରୀହ ଶିଶୁ ସହିତ 5ଜଣ ଆଦିବାସୀ ପ୍ରାଣ ହରାଇଥିଲେ। ଏହା ସହିତ 7ଜଣ ଆହତ ହୋଇଥିଲେ। ସେହି ଘଟଣାରେ ଆଦିବାସୀଙ୍କ ସମ୍ପୃକ୍ତି ନଥିବା ସେମାନେ କହୁଥିବା ବେଳେ ସରକାର ସେମାନଙ୍କୁ ମାଓବାଦୀ ଭାବେ ଦର୍ଶାଇ ଥିଲା । ପରେ ଚାରିଆଡୁ ସରକାରଙ୍କ ଉପରେ ଚାପ ପଡିବା ପରେ ଏହାର ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା ସହ ସରକାରୀ ସୁବିଧାର ପାଇଁ ଘୋଷଣା କରିଥିଲେ। କିନ୍ତୁ ସେହି ସୁବିଧାମାନ କ୍ଷତିଗ୍ରସ୍ତ ପରିବାରର ସଦସ୍ୟମାନେ ଏପର୍ଯ୍ୟନ୍ତ ପାଇନଥିବା ଅଭିଯୋଗ ନେଇ ସେମାନେ ଆଜି ମାନବାଧିକାର କମିଶନଙ୍କ ନିକଟକୁ ଆସିଥିଲେ ।
ତେବେ ଆଜି ଦ୍ଵିତୀୟ ଶନିବାର ଅଫିସ ବନ୍ଦ ଥିବାରୁ ସେମାନେ ଦରଖାସ୍ତ ଦେଇ ପାରିନାହାନ୍ତି। ସରକାରଙ୍କ କହିବା ଅନୁଯାୟୀ ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ କରିବା ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହିତ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ସାହାଯ୍ୟ ସହିତ ଗାଁକୁ ରାସ୍ତା, ବିଜୁଳି ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଏହି ଅବହେଳାକୁ ନେଇ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ପରିବାରର ସଦସ୍ୟ ଉଲାନା ଦିଗଲ ପ୍ରକାଶ କରିଛନ୍ତି।