ଭୁବନେଶ୍ବର: ଗତ ୧୦ ତାରିଖ ଦିନ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନୂଆ ଯୋଜନାକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ । ଏନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନିଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ପୁରୁଣା ପ୍ରକଳ୍ପରେ ଏହି ଯୋଜନାର ଅର୍ଥ ଖର୍ଚ୍ଚ କରି ହେବନାହିଁ । ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ କରି ଏଥିରେ ଅର୍ଥ ଖର୍ଚ୍ଚ କରିବେ । ପ୍ରତି ପ୍ରକଳ୍ପରେ ଅଢ଼େଇ ଲକ୍ଷ ଟଙ୍କାରୁ ନେଇ ସର୍ବାଧିକ ୧୦ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହୋଇପାରିବ । ଏହି ଯୋଜନା ମନିଟରିଂ ପାଇଁ ଏକ ସ୍ୱତନ୍ତ୍ର ଆପର ବିକାଶ କରାଯିବ । ପ୍ରତି ପ୍ରକଳ୍ପ ପୂର୍ବ, ପ୍ରକଳ୍ପ କାମ ଚାଲିବା ସମୟର ଓ ପ୍ରକଳ୍ପ ସରିବା ପରବର୍ତ୍ତୀ ସମୟର ଫଟୋ ଏଥିରେ ଅପଲୋଡ ହେବ ଏବଂ ଏହାକୁ ଜିଆଇଏସ ଟ୍ୟାଗିଂ ମଧ୍ୟ କରାଯିବ । ରାଜ୍ୟସ୍ତରରେ ମନିଟରିଂ ପାଇଁ ପଞ୍ଚାୟତିରାଜ ବିଭାଗ ଏକ ୱେବ ବେସଡ ମ୍ୟାନେଜମେଣ୍ଟ ଇନଫର୍ମମେସନ ସିଷ୍ଟମ ବା ଏମଆଇଏସ ରଖିବ ।
ପୂର୍ବରୁ ଲାଗୁ ହୋଇଥିବା 'ଆମ ଗାଁ ଆମ ବିକାଶ' ଯୋଜନାକୁ ନୂଆ ରୂପ ଦେଇ ଏହି ଯୋଜନା ଅଣାଯାଇଛି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ଧାର୍ମିକ ଉପାସନାସ୍ଥଳୀ ଓ ପର୍ଯ୍ୟଟକଙ୍କ ଗହଳି ହେଉଥିବା ସ୍ଥାନରେ ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ପଞ୍ଚାୟତ ଗୁଡ଼ିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଆଉ ୪୦ ଲକ୍ଷ ଟଙ୍କା ବିଭିନ୍ନ ବାଟରେ ଖର୍ଚ୍ଚ କରିବେ । ମହିଳା ଓ ଯୁବକଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ଏହାର ସଂପ୍ରସାରଣରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଟଙ୍କା ଖର୍ଚ୍ଚ କରି ହେବ ।