ଭୁବନେଶ୍ବର:ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳରେ ଫସଲ ପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ନଥିବାରୁ ରାଜ୍ୟର ୨୦ଟି ଜିଲ୍ଲାର ୭୧ଟି ବ୍ଲକରେ ସମ୍ପ୍ରତିକ ନିଅଣ୍ଟିଆ ବୃଷ୍ଟିପାତ ସମସ୍ୟା ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ଜଳ ସଙ୍କଟ ସମସ୍ୟା ହେତୁ ଖରିଫ ଧାନ ସମେତ ଅନ୍ୟାନ୍ୟ ଫସଲ ସାମୟିକ ପ୍ରଭାବିତ ହେଇଛି । ଆଗକୁ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଫସଲ ସୁପରିଚାଳନା ପାଇଁ ଚାଷୀଙ୍କୁ କୃଷି ପରାମର୍ଶ ପ୍ରଦାନ କରାଯାଇଛି ।
ଖାଲ କିସମ ଜମିରେ ବିଳମ୍ବରେ ଧାନ ବୁଣୁଥିଲେ ୧୪୦ ଦିନ ଅବଧୂର କିସମ ଯଥା ସ୍ବର୍ଣ ସବ-୧, ସି.ଆର ଧାନ ୮୦୧, ସି.ଆର ଧାନ ୮୦୨, କଳିଙ୍ଗ ଧାନ ୧୪୦୧, କଳିଙ୍ଗ ଧାନ ୧୪୦୩ ଆଦି ବିହନ ସଂଗ୍ରହ କରି ଓ ବିଶୋଧନ କରି ଧାନ ବୁଣନ୍ତୁ । ମଝିଆଳି କିସମ ଜମିରେ ବିଳମ୍ବରେ ଧାନ ବୁଣୁଥିଲେ ୧୨୦ ଦିନ ଅବଧୂର କିସମ ଯଥା ସ୍ବର୍ଣ ଶ୍ରେୟା, ବୀଣା- ୧୧, ଡି.ଆର.ଆର ଧାନ ୩୦୫, ଡି.ଆର.ଆର. ଧାନ ୪୨ ଓ ୪୪, କଳିଙ୍ଗ ଧାନ୧୨୦୧, କଳିଙ୍ଗ ଧାନ ୧୨୦୪ ଆଦି କିସମ ଚୟନ କରନ୍ତୁ । ଢିପ କିସମରେ ଜମିରେ ମାଟିର ବତର ଦେଖି ସିଆର ଧାନ-୨୦୨, ସିଆର ଧାନ-୨୦୧, ଜ୍ୟୋତିର୍ମୟୀ, ସିଦ୍ଧାନ୍ତ, ଯୋଗେଶ, ମନ୍ଦାକିନୀ, ସହଭାଗୀ ଧାନ, ଅଙ୍କିତ, ସତ୍ୟଭାମା ଆଦି କିସମର ବିହନ ବୁଣିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।
ଢିପ କିସମ ଜମିରେ ବତର ଦେଖି ଧାନ, ହରଡ , ମାଣ୍ଡିଆ, ରାଶି ଆଦି ଫସଲ ଚାଷ ପାଇଁ ଜମି ପ୍ରସ୍ତୁତ କରି ତୁରନ୍ତ ବୁଣନ୍ତୁ । ଲୁଣା ଅଞ୍ଚଳରେ ଏବେ ଧାନ ବୁଣାବୁଣି କରୁଥିଲେ ଜମିର କିସମ ଦେଖି ଖାଲ ଜମି ପାଇଁ ଲୁଣା ସମ୍ପଦ (ଅବଧି ୧୪୦ ଦିନ), ମଧ୍ୟମ କିସମ ଜମି ପାଇଁ ଲୁଣାଶଙ୍ଖ (୧୧୦ଦିନ) ଆଦି କିସମର ବିହନ ବୁଣିବା ସହ ଧାନ ତଳି ଘେରାରେ ଜଳ ସଙ୍କଟ ଦେଖା ଦେଲେ ଜରୁରୀକାଳୀନ ଜଳସେଚନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ନିଅଣ୍ଟିଆ ବୃଷ୍ଟିପାତ ହେତୁ ଧାନ ତଳି ଘେରାରେ ଏକ ବୀଜପତ୍ରୀ ଘାସ ସମସ୍ୟା ଦେଖାଦେଲେ ଏକର ପ୍ରତି ୩୨୦ମି.ଲି. ସାଇହାଲୋଫପ ବିଉଟାଇଲ ତୃଣନାଶକ ୨୦୦ଲିଟର ପାଣିରେ ମିଶାଇ ସଞ୍ଚନ କରିବାକୁ କୁହାଯାଇଛି ।
ଏହା ବି ପଢନ୍ତୁ...ନିଆଣ୍ଟିଆ ବର୍ଷାରୁ ପଡିଆ ପଡିଛି ଜମି, ଚିନ୍ତାରେ ଚାଷୀ