ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏବେଠି ରାଜଧାନୀରେ ଦେଖା ଦେଲାଣି ହିଂସା । ଭୁବନେଶ୍ୱର ଉପକଣ୍ଠରେ ପୁଣି ଗୋଷ୍ଠୀ ସଂଘର୍ଷ । ମଞ୍ଚେଶ୍ବର ଥାନା ଇଞ୍ଜଣା ପଞ୍ଚାୟତର ପଦ୍ମକେଶରପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଥିବା ରାଗ ଏବେ ଗୋଷ୍ଠୀ ସଂଘର୍ଷର ରୂପ ନେଇଛି ।
ସୂଚନା ଅନୁଯାୟୀ, ଗତ ତିନି ଦିନ ହେବ ପଦ୍ମକେଶରପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଦୁଇ ଦିନ ତଳେ ଏନେଇ ପଞ୍ଚେଶ୍ବର ଥାନରେ ଦୁଇ ଗୋଷ୍ଠୀ ପକ୍ଷରୁ ରିପୋର୍ଟ ହୋଇଥିଲା । ରାସ୍ତାରେ ସାଇଡମରାକୁ ନେଇ ପୂର୍ବତନ ସରପଞ୍ଚଙ୍କ ଭାଇ ଓ ପୁତୁରା ସହ ବର୍ତ୍ତମାନ ସରପଞ୍ଚଙ୍କ ପୁତୁରା ମଧ୍ୟରେ ଝଗଡ଼ା ହୋଇଥିଲା । ସେଠାରେ ପୂର୍ବତନ ସରପଞ୍ଚର ବେଶ ଦବଦବା ରହିଥାଏ । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଏବେକାର ସରପଞ୍ଚ ତାଙ୍କ ଠାରୁ ବିଜୟୀ ହୋଇଥିଲେ । ସେନେଇ ଉଭୟ ଗୋଷ୍ଠୀ ଭିତରେ ବିବାଦ ରହିଥିଲା । ବର୍ତ୍ତମାନର ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକଙ୍କ ସମର୍ଥନ ଥିବା ବେଳେ ପୂର୍ବତନ ସରପଞ୍ଚ ଲୋକେ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ କେନ୍ଦ୍ରକରି ଗୁରୁବାର ପୂର୍ବତନ ସରପଞ୍ଚଙ୍କ ଗୋଷ୍ଠୀ ଆସି ଲୋକଙ୍କୁ ଧମକ ଦେବା ସହ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ । ଯାହାକୁ ପ୍ରତିବାଦ କରି ସରପଞ୍ଚ ଗୋଷ୍ଠୀ ଲୋକେ ମଧ୍ୟ ଠେଙ୍ଗାବାଡ଼ି ଧରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ସହ ଭଙ୍ଗାରୁଜା ହୋଇଥିଲା । ଫଳରୋ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ପଞ୍ଚାୟତ ଅଫିସରେ ତୁମୁଳକାଣ୍ଡ; ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ସଂଘର୍ଷ