ଭୁବନେଶ୍ବର: ବାଲେଶ୍ଵର ରେଳ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିଲେ ରାଜସ୍ବ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳାଙ୍କ ନେତୃତ୍ବରେ ହୋଇଥିଲା ବିପର୍ଯ୍ୟୟ ମୁକାବିଲାର ମହାପ୍ଲାନ । ପ୍ରଧାନମନ୍ତ୍ରୀଙ୍କ ପରି ହାଇପ୍ରୋଫାଇଲ ନେତାଙ୍କ ଗସ୍ତ ହେଉ ଉଦ୍ଧାର କାର୍ଯ୍ୟ, ସବୁ କିଛିର ନେତୃତ୍ବ ନେଇଥିଲେ ପ୍ରମିଳା । ଉଦ୍ଧାର କାର୍ଯ୍ୟ, ମୃତଦେହ ଚିହ୍ନଟ, ସିବିଆଇ ତଦନ୍ତ ଓ ମୃତକଙ୍କ ସଂଖ୍ୟା ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ।
ପ୍ରମିଳା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା କରିପାରିବା କଥା ତାହା ହୋଇଛି । ଓଡ୍ରାଫ, ଅଗ୍ନିଶମ, ସ୍ବେଚ୍ଛାସେବୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ହୋମଗାର୍ଡରୁ ଡିଜି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିଲେ । ମୃତାହତଙ୍କ ଚିତ୍କାର, ସଂପର୍କୀୟଙ୍କ କାନ୍ଦ ଆଉ ବୋବାଳିରେ ଅଞ୍ଚଳ ଫାଟି ପଡୁଥିଲା । ତାହା ଭିତରେ ଉଦ୍ଧାର କାର୍ଯ୍ୟ ହୋଇଛି । ଆହତଙ୍କ ଚିକିତ୍ସା କାର୍ଯ୍ୟ ଚାଲିଛି । ତା ସହିତ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ଏହାବି ପଢନ୍ତୁ- Interlocking System: ଇଣ୍ଟରଲକିଂ ସିଷ୍ଟମ କଣ ? ଟ୍ରେନ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ
ଟ୍ରେନ ଟ୍ରାଜେଡିରେ ସିବିଆଇ ତଦନ୍ତକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାର । ସରକାର ଓ ଶାସକ ଦଳ ବିଜେଡି ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ବାଗତ କରିଛନ୍ତି । ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ, ଭଲ ହୋଇଛି ସିବିଆଇ ତଦନ୍ତ ଦିଆଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ । ସିବିଆଇ ତଦନ୍ତ ହେଲେ ତ ଲୋକଙ୍କ ଜୀବନ ଫେରି ଆସିବନି କିନ୍ତୁ ତଦନ୍ତ ହେଲେ ଦୋଷୀ ଧରା ପଡ଼ିବ । ସିବିଆଇ ତଦନ୍ତ କରୁଛନ୍ତି ଠିକ ଜିନିଷ ଧରା ପଡ଼ିବ । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ସାମ୍ନାକୁ ଆସିବେ । ନିଶ୍ଚିତ ଭାବେ କିଛି ଭୁଲ ଭଟକା ଯୋଗୁଁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତକୁ ସ୍ବାଗତ କରୁଛୁ ।