ଭୁବନେଶ୍ବର: ଗଣପତି ତୁମେ ଗଣନାୟକ....ବିଘ୍ନ ହର୍ତ୍ତା ତୁମେ ବିଶ୍ବ ପାଳକ... ଏକ ଦନ୍ତ ତୁମେ ମହାନାୟକ...ପାର୍ବତୀ ନନ୍ଦନ ସୁଖଦାୟକ..ଅଗ୍ରପୂଜ୍ୟ ହେ ସିଦ୍ଧି ବିନାୟକ... ବିଦ୍ୟା ବୁଦ୍ଧି ପ୍ରଦାୟକ ତୁମେ ଦୁଃଖ ନାଶକ... ଆଜି ପବିତ୍ର ଗଣେଶ ଚତୁର୍ଥୀ । ଶ୍ରୀଗଣେଶ, ବିନାୟକ, ବିଘ୍ନରାଜ, ଗଜାନନ, ଲମ୍ବୋଦର, ଗଣପତି ବିଦ୍ୟା ବୁଦ୍ଧିଦାତା ଅଗ୍ରପୂଜ୍ୟଙ୍କ ପୂଜା । ଧରାପୃଷ୍ଠରେ ବିରାଜିଛନ୍ତି ନାନା ରୂପ ନାନା ନାମଧାରୀ ପାର୍ବତୀ ନନ୍ଦନ । ଏ ନେଇ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁଠୁ ସହର ।
ସେ ବିଦ୍ୟା ବୁଦ୍ଧିଦାତା । ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସବୁଥିରେ ତାଙ୍କୁ ପୂଜା କରାଯାଏ । ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ଆୟୋଜିତ ହୋଇଛି । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ ଗଣେଶ ପୂଜାର ଉତ୍ସବ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।
ଏହା ବି ପଢନ୍ତୁ...ଗଣେଶ ପୂଜାକୁ ଫିକା କରିପାରେ ବର୍ଷା: ଆସୁଛି ଆଉ ଏକ ଲଘୁଚାପ, 4ଦିନ ପ୍ରବଳ ଛେଚିବ