ଭୁବନେଶ୍ୱର:ଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି ଧନଧାତ୍ରୀଙ୍କ ପୂଜା । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ଫାଠି ପଡୁଛି ପୂଜା ମଣ୍ଡପ । ଭୁୁବନେଶ୍ୱରର ଜାଗମରା ପୂଜା ମଣ୍ଡପରେ ମା' ଲକ୍ଷ୍ମୀଙ୍କ ସହ ପ୍ରଭୁ କାଳିଆ ଠାକୁର ପୂଜା ପାଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।
ଜାଗମରା ମେଳଣ ପଡ଼ିଆରେ ଏମିତି କିଛି ନିଆରା ଢଙ୍ଗରେ ପୂଜା ପାଉଛନ୍ତି ମା' । ମା'ଲକ୍ଷ୍ମୀଙ୍କ ସହ କାଳିଆ ଠାକୁର ମେଢ ଦେଖିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଏଠାରେ ପ୍ରଥମ ଥର ପାଇଁ ମା'ଙ୍କ ପୂଜା ଆୟୋଜନ କରାଯାଇଛି । ଏଠାରେ କେବଳ ମା'ଙ୍କ ମେଢ ଦର୍ଶନ ନୁହେଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ମା'ଙ୍କର ସେହି ଅନନ୍ୟ ଅନୁଭୂତି ଗୋଟିଏ ପୂଜା ମଣ୍ଡପରେ ନେଉଛନ୍ତି ଭକ୍ତ । କାରଣ ଓଡିଆଙ୍କର ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ ଯାହାଙ୍କର ଘରଣୀ ମା'ଲକ୍ଷ୍ମୀ ଠାକୁରାଣୀ । ତେଣୁ ଏଠାରେ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ପୂଜା କରାଯାଇଛି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ପୂଜା କମିଟି ଦ୍ୱାରା ଏଭଳି ମେଢ କରି ବେଶ ଚର୍ଚ୍ଚାରେ ରହିଛି । ଏଠାରେ ପରମ୍ପରା ରୀତିନୀତିରେ ଅନୁସାରେ ଜାରି ରହିଛି ପୂଜାର୍ଚ୍ଚନା । ସବୁଠୁ ବଡ଼ କଥା ହେଲା ଏହି ପୂଜା କମିଟିରେ କେବଳ ପୁରୁଷମାନେ ସଦସ୍ୟ ନୁହଁନ୍ତି ବରଂ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି ପୂଜାର୍ଚ୍ଚନା କରୁଛନ୍ତି । ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ କଳସ ଯାତ୍ରାର ଅୟୋଜନ କରାଯାଇଥିଲା ।