ଭୁବନେଶ୍ବର:ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା NEET ଓ JEE କୋଚିଂ। ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ କ୍ଲାସ। ଏଥର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ। ଏନେଇ ପକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ଅନେକ କଲେଜରେ ୪୦ ପ୍ରତିଶତ ସ୍ମାର୍ଟ କ୍ଲାସ ରୁମ୍ ପ୍ରସ୍ତୁତ ହୋଇଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ କଲେଜରେ ଆରମ୍ଭ ହେବ ଏହି କୋଚିଂ। ଭର୍ଚୁଆଲ କୋଚିଂ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ନୀଟ ଓ ଜେଇଇ ପାଇଁ ଅଧ୍ୟୟନ କରୁଥିବା ଆଶାୟୀଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନଲାଇନ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି ମାଗଣା କୋଚିଂ ଦିଆଯିବ ।
ପ୍ରତି ବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ NEET ଓ JEE କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି। ଏହାସହ ଡ୍ରପ୍ଆଉଟ୍ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟାର କହିଛନ୍ତି, "ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଏକ ସ୍ମାର୍ଟ କ୍ଲାସ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାରି ମଧ୍ୟରେ ୩୦% -୪୦% ବିଭିନ୍ନ ଯୁକ୍ତ ଦୁଇ କଲେଜରେ ସ୍ମାର୍ଟ କ୍ଲାସ ହୋଇଗଲାଣି। ଏହି ସ୍ମାର୍ଟ କ୍ଲାସରେ ମାଗଣାରେ ଦିଆଯିବ NEET ଓ JEE କୋଚିଂ। ଏହାସହ ସମସ୍ତ କଲେଜରୁ ଛାତ୍ରଛାତ୍ରୀଙ୍କ ଏକ ତାଲିକା ମଗାଯାଇଛି।"