ଭୁବନେଶ୍ବର:ନୂଆଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୨(India International Trade Fair )। ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଏହି ମେଳାର ଆଜି ପଞ୍ଚମ ଦିନ । ଗୁରୁବାର ଚତୁର୍ଥ ଦିନ ଥିବା ବେଳେ ଅଦ୍ଭୂତପୂର୍ବ ଜନ ସମାବେଶରେ ଉଜ୍ଜିବୀତ ହୋଇ ଉଠିଥିଲା ପ୍ରଗତି ମଇଦାନର ଓଡିଶା ମଣ୍ଡପ । ମିଲେଟ ମିଶନ, ମିଶନ ଶକ୍ତିର ଅଦ୍ଭୂତପୂର୍ବ ସଫଳତା ବିସ୍ମିତ କରିଥିଲା ଦର୍ଶକମାନଙ୍କୁ । ଏଥି ସହ ଓଡିଶାର କଳାକୃତି, ହସ୍ତ ତନ୍ତ, ତାରକସି କାମ, ଆଦିବାସୀ କଳା ଓ ଡୋକ୍ରା କାମ ବହୁଳ ମାତ୍ରାରେ ଆକୃଷ୍ଟ କରିଥିଲା ଦର୍ଶକଙ୍କୁ ।
ଏଠାରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ରାଜ୍ୟର ମଣ୍ଡପ ପରିଦର୍ଶନ କରିବା ସହ ଓଡିଶା ମଣ୍ଡପର ସାଜସଜ୍ଜାରେ ବିମୁଗ୍ଧ ହୋଇ ଫଟୋ ଉଠାଇବାର ମଜା ନେଉଥିଲେ ଦର୍ଶକ । ଏଠାରେ ପଟ୍ଟ ଚିତ୍ର ଓ ସବାଇ ଘାସରେ ନିର୍ମିତ ବିଭିନ୍ନ ବ୍ୟବହାର୍ଯ୍ୟ ଉପକରଣର ଡେମୋ ମଧ୍ୟ କରାଯାଇଥିଲା । ଯାହା ସବୁଠାରୁ ଆକର୍ଷଣୀୟ ରହିଥିଲା । ଅପରାହ୍ନରେ ଓଡିଶା ମଣ୍ଡପର ସାଜସଜ୍ଜା ଓ ଉପସ୍ଥାପନ ପରିଲକ୍ଷିତ କରିବା ପାଇଁ ଆଇଟିପିଓର ବିଚାରକ ମଣ୍ଡଳୀ ମଣ୍ଡପ ପରିଦର୍ଶନ କରିଥିଲେ ।