ଖୋର୍ଦ୍ଧା:ପୋଡାଡିହ ପଞ୍ଚାୟତ ନୀଳକଣ୍ଠପୁରର ପୁଷ୍ପଲତା ନାୟକ । ଯେକି ଏବେ ପରିବାରର ବୋଝ ମୁଣ୍ଡାଇଛନ୍ତି । ଖେଳକୁଦ ଓ ପାଠପଢା ବୟସରେ ହାତରେ ଧରିଛନ୍ତି ତତଲା ଭାତ ହାଣ୍ଡି । ବୟସ ମାତ୍ର ୧୫ ବର୍ଷ, କିନ୍ତୁ ଏହି କମ ବୟସରେ ସେ ପରିବାରର ବୋଝ ସମ୍ଭାଳିଛନ୍ତି । ଛାତିକୁ ପଥର କରି ୩ ଭାଇ ଭଉଣୀଙ୍କ ମାଆ ପାଲଟିଛନ୍ତି ପୁଷ୍ପଲତା । ପରିବାର କହିଲେ ପୁଷ୍ପଲତା ଓ ତାଙ୍କ ୩ ଭାଇ ଭଉଣୀ । ବାପା ମାଆ ଛେଉଣ୍ଡ ହେବା ପରେ ଦୁଃଖରେ ଦିନ କାଟୁଛନ୍ତି ଏହି ୪ ଭାଇ ଭଉଣୀ । ଚାଳ ଛପର ଘରେ ଜୀବନ ବିତୁଥିବା ବେଳେ ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି ଏହି ଦୁଃଖି ପରିବାର । କିନ୍ତୁ ଏତେ ସବୁ ଦୁଃଖ ମଧ୍ୟରେ ସମସ୍ତ କଷ୍ଟ ସହି ପରିବାର ଚଳାଇବା ସହିତ ନିଜ ଭାଇ ଭଉଣୀଙ୍କୁ ବଡ କରିବାର ସ୍ୱପ୍ନ ଦେଖୁଛନ୍ତି ପୁଷ୍ପଲତା ।
2016 ମସିହାରେ ହଠାତ ଘରେ ନିଆଁ ଲାଗି ପରିବାର ଉଜୁଡି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବାପା ମାଆ ଆରପାରିକୁ ଚାଲି ଯାଇଥିଲେ । ଆଉ ନିଆଁର ଆଁରେ ଘର ଦ୍ବାର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଆଉ ଏବେ ଯାହା କିଛି ରହିଛି ତାକୁ ସାଉଁଟି ଏବେ ଏମାନଙ୍କ ଜୀବନ ବିତୁଛି । ପରିବାର ଘରଦ୍ୱାର ନଥିବା ବେଳେ ପୁଷ୍ପା ଅଧାରୁ ପାଠ ଛାଡି ଅଣ୍ଟାଭିଡି ବାହାରିଛନ୍ତି ନିଜ ଭାଇ ଭଉଣୀକୁ ମଣିଷ କରି ଗଢି ତୋଳିବାକୁ । ପୁଷ୍ପଲତାଙ୍କ ସାନ ଭଉଣୀ ଝିଲି ନାୟକ ଆର୍ଥିକ ଅଭାବ କାରଣରୁ ଗତବର୍ଷ ଠାରୁ ପାଠରେ ଡୋରି ବାନ୍ଧିଥିଲେ ମଧ୍ୟ ଏବେବି ପାଠ ପଢ଼ିବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ସେହିଭଳି ଅନ୍ୟ ଦୁଇ ଭାଇ ଭଉଣୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି । ସରକାରୀ ସୁବିଧା କହିଲେ ଚାରି ଭାଇ ଭଉଣୀଙ୍କୁ ମିଳୁଛି 15 କିଲୋ ଚାଉଳ । ଏପର୍ଯ୍ୟନ୍ତ ଭାଇର ନାମ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ କାର୍ଡରେ ନାମ ସଂଯୋଗ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ ।