ଭୁବନେଶ୍ବର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନାଗ ସାପ । ଗତକାଲି(ଶନିବାର) ବିମାନ ବନ୍ଦରରୁ 4 ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ନାଗକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା ଅନୁସାରେ, ନାଗ ସାପଟି ବିମାନ ବନ୍ଦର ପରିସରରେ ଥିବା ପୁରୁଣା ଆପ୍ରନରେ ରହିଥିଲା । ପରବର୍ତ୍ତୀ ସମୟରେ ସାପଟି ସେଠାରୁ ବାହରି ନବ ନିର୍ମିତ ଆପ୍ରନରେ ପହଞ୍ଚିଥିଲା । ସେଠାରେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ଶୋଇ ରହିଥିଲା । 4 ଫୁଟର ଲମ୍ବ ନାଗ ସାପକୁ ସିଆଇଏସଏଫ୍ ଯବାନମାନେ ଦେଖିବାକୁ ପାଇଥିଲେ । ନାଗ ସାପ ଅନ୍ୟ ସ୍ଥାନକୁ ଖସି ଯିବା ପୂର୍ବରୁ ଯବାନମାନେ ଘେରି ରହିଥିଲେ । ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ନାଗଟିକୁ ପରିସର ମଧ୍ୟରୁ ଅନ୍ୟତ୍ର ନେବା ପାଇଁ ଅନୁରୋଧ କରାଯାଇଥିଲା । ସୂଚନା ପାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି 4 ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଛନ୍ତି । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।