ଭୁବନେଶ୍ବର: ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଏବଂ ଜାତିଭିତ୍ତିକ ଜନଗଣନାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସୋମବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦୀର୍ଘ ୨୩ ବର୍ଷ ହେବ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଠକି ଚାଲିଥିବା ବେଳେ ଏବେ ପୁଣିଥରେ ଠକିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ଜେନା କହିଛନ୍ତି, "ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି । ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ । ଦୀର୍ଘ ୨୩ ବର୍ଷ ହେବ କ୍ଷମତାରେ ରହି ରାଜ୍ୟ ସରକାର ଏହି ଜାତିକୁ ଠକିବା ପରେ ପୁନର୍ବାର ଠକିବା ପାଇଁ ପ୍ରୟାସ କରାଯାଉଛି । ରାଜ୍ୟ ସରକାରଙ୍କ ସର୍ଭେ କଣ ଜାତିଭିତ୍ତିକ ଜନଗଣନା କି ? ଏହାକୁ ଓଡିଶା ସରକାର ସ୍ପଷ୍ଟ କରନ୍ତୁ । ପଛୁଆ ବର୍ଗଙ୍କର ସର୍ଭେ ନାମରେ ରାଜ୍ୟ ସରକାର ସେହି ବର୍ଗକୁ ଠକୁଛନ୍ତି । ଅର୍ଥାତ ରାଜ୍ୟର ୫୪% ଲୋକଙ୍କୁ ଠକୁଛନ୍ତି ରାଜ୍ୟ ସରକାର । ଜାତିଭିତ୍ତିକ ଜନଗଣନା ନକରି ସର୍ଭେ ନାମରେ ଓଡ଼ିଶାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କୁ ଠକିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ବିଗତ ୨୫ ବର୍ଷ ଶାସନ କାଳରେ ପଛୁଆ ବର୍ଗର ଲୋକମାନେ ସାମ୍ଭିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଅର୍ଥାତ ଶିକ୍ଷା ଓ ଚାକିରୀ କ୍ଷେତ୍ରରୁ ବଞ୍ଚିତ ହୋଇଛନ୍ତି ଏହି ୫୪ ପ୍ରତିଶତ ଲୋକ ।