ଓଡିଶା

odisha

ETV Bharat / state

ମୁଁ ସର୍ବୋତ୍ତମ ପ୍ରୟାସ କରିଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଅଧିକ ଆଶା କରିଥିଲେ: ରୋହିତ ପୂଜାରୀ

ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ରୋହିତ ପୂଜାରୀ । କହିଲେ ମୁଁ ସର୍ବୋତ୍ତମ ପ୍ରୟାସ କରିଛି, ହେଲେ ମୁଖ୍ୟମନ୍ତ୍ରୀ ବୋଧହୁଏ ଅଧିକ ଆଶା କରିଥିଲେ । ମୁଖ୍ୟମନ୍ତ୍ରୀ ଆଗକୁ ଯାହା ଦାୟିତ୍ବ ଦେବେ, ସେ ପାଳନ କରିବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା
ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା

By

Published : Jun 9, 2023, 8:25 PM IST

ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ବିଭାଗୀୟ ବାର୍ଷିକ ରିପୋର୍ଟ ଆଧାରରେ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ତେବେ ଏହାପରେ ପ୍ରତିକ୍ରିୟା ରଖିଛନ୍ତି ରୋହିତ । ମୁଁ ମୋର ସର୍ବୋତ୍ତମ ପ୍ରୟାସ କରିଥିଲି, ହେଲେ ମୁଖ୍ୟମନ୍ତ୍ରୀ ବୋଧହୁଏ ମୋ ଠାରୁ ଅଧିକ ଆଶା କରୁଥିଲେ ବୋଲି ସେ କହିଛନ୍ତି । ତେବେ ଆଗକୁ ଅଧିକ ଶିଖିବି, ଯେଉଁ ଦାୟିତ୍ବ ମିଳିବ ତାକୁ ନିର୍ବାହ କରିବି ବୋଲି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ପରେ କହିଛନ୍ତି ବିଧାୟକ ରୋହିତ ପୂଜାରୀ ।

ରୋହିତ କହିଛନ୍ତି, "ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ସବୁ କାମରେ ଆଶୀର୍ବାଦ କରିଛନ୍ତି । ଜିଲ୍ଲା ସଭାପତି, ଲିଫ୍ଟ ଇରିଗେଶନ ଅଧ୍ୟକ୍ଷ କରିଥିଲେ । ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି । ମନ୍ତ୍ରୀ ବି କରିଥିଲେ । ମୁଁ ମୋର ସବୁ ପ୍ରକାର ପ୍ରୟାସ କରିଛି । କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀ ମୋର ପ୍ରୟାସରେ ସନ୍ତୁଷ୍ଟ ନାହାନ୍ତି । ମୋର କିଛି ଦୁଃଖ କରିବାର ନାହିଁ । ମୁଁ ନୂଆ ମନ୍ତ୍ରୀ ହୋଇଥିଲି । ଆହୁରି ସମୟ ଅଛି, ଶିଖିବି । ଯାହା ଦାୟିତ୍ବ ଦେବେ, କାମ କରିବି । ମିଡିଆରୁ ମୁଁ ଜାଣିଲି ମୁଁ ଯେତିକି କରିଛି ତାଠାରୁ ଆହୁରି ଅଧିକ ଆଶା ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କର ଥିଲା । ସେଥିପାଇଁ ସେ ମୋତେ ବାଦ ଦେଇଛନ୍ତି । ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଏହା ମୋ ଠାରୁ ଆରମ୍ଭ କିମ୍ବା ଶେଷ ନୁହେଁ । ପୂର୍ବ ଦିନରେ ଭଲ କାମ ହୋଇଛି, ଆଗକୁ ମଧ୍ୟ ହେବ ।"

ରୋହିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ୨୦୨୨ରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ରୋହିତଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା । ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ରୋହିତ କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିର୍ବାଚନ ଲଢ଼ିବା ଠିକ ନୁହେଁ କହି ବିବାଦ ଘେରକୁ ଆସିଥିଲେ ରୋହିତ । ଯଦିଓ ଏହାପରେ ସେ ସ୍ପଷ୍ଟୀକରଣ ଦେଇଥିଲେ, ହେଲେ ତାଙ୍କ ଟିପ୍ପଣୀକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା । ଏହି କାରଣରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯାଇଥାଇପାରେ ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଗକୁ ଯାହା ଦାୟିତ୍ବ ଦେବେ, ସେ ପାଳନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details