ଓଡିଶା

odisha

ସଂସଦରେ ଅଘଟଣ କେବଳ ଦୁର୍ଭାଗ୍ୟଜନକ ନୁହେଁ ଉଦବେଗଜନକ: ପ୍ରସନ୍ନ ଆଚାର୍ଯ୍ୟ

By ETV Bharat Odisha Team

Published : Dec 14, 2023, 7:11 PM IST

Parliament Security Breach: ସଂସଦରେ ବିକ୍ଷୋଭକାରୀ ଅନୁପ୍ରବେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ବିଚାର କରିବାର ଆବଶ୍ୟକତା ଥିବା ସେ ମତ ଦେଇଛନ୍ତି । ଅଧିକ ପଢନ୍ତୁ

parliament security breach
ସଂସଦରେ ଅଘଟଣ

ସଂସଦରେ ଅଘଟଣ

ଭୁବନେଶ୍ବର:ନୂଆ ସଂସଦରେ ବିକ୍ଷୋଭକାରୀ ଅନୁପ୍ରବେଶ ନେଇ ବାଦବିବାଦ ଲାଗି ରହିଛି । ସଂସଦର ସୁରକ୍ଷା ପ୍ରସଙ୍ଗକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ଘଟଣାକୁ ନେଇ ଆଜି ଦିନ ତମାମ ବୟାନବାଜି ଜାରି ରହିଛି । ଏଥିରେ ବିଜେଡିର ପକ୍ଷ ରଖିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, "ନୂଆ ସଂସଦ ଭବନରେ ଅଘଟଣ କେବଳ ଦୁର୍ଭାଗ୍ୟଜନକ ନୁହେଁ, ଏହା ନିହାତି ଭାବେ ଉଦବେଗଜନକ । ଏଭଳି ଘଟଣା ଦ୍ୱିତୀୟ ଥର ହେଲା । ଘଟଣାଚକ୍ରରେ 22 ବର୍ଷ ତଳେ ଯେଉଁ ଘଟଣା ହୋଇଥିଲା, ତାହାର ପୁନରାବୃତ୍ତି ହୋଇଛି।"

ସେ ଆହୁରି ମଧ୍ୟ କହିଛନ୍ତି, "ଆତଙ୍କବାଦୀ ଆକ୍ରମଣ ହେଇଥିଲା । ଆମର ବହୁ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ । ଗତକାଲି ସେହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏମିତି ଘଟଣା ଘଟିଲା । ଏହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି । ନିଶ୍ଚୟ ଭାବେ ଏହା ନିନ୍ଦନୀୟ । ତାହାଠାରୁ ଏହା ଅଧିକ ଉଦବେଗ ଜନକ ଘଟଣା । କେଉଁଥିପାଇଁ ଏପରି ଘଟଣା ଘଟିଲା, କେଉଁଠି ତୃଟି ରହିଲା, କାହାର ଏବଂ କିପରି ତୃଟି ରହିଲା ଏ ବାବଦରେ ସରକାର ନିଶ୍ଚୟ ଅନୁସନ୍ଧାନ କରିବା ଦରକାର । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବାରମ୍ବାର କାହିଁକି ଏମିତି ଘଟଣା ଘଟୁଛି ଏହାର ତର୍ଜମା ଆବଶ୍ୟକ ।"



"ସଂସଦରେ ଆକ୍ରମଣ ଅର୍ଥ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ । ଯେଉଁ ସଂସଦ ସମ୍ବିଧାନର ସୁରକ୍ଷାର ଦାୟିତ୍ୱ ନେଇଛି । ଯେଉଁଠି ଦେଶ ଓ ଲୋକଙ୍କ ପାଇଁ ଆଇନ କାନୁନ ତିଆରି ହେଉଛି, ତା' ଉପରେ ଏମିତି ଘଟଣା ଘଟିବା ନିଶ୍ଚୟ ଭାବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ସାଂସଦମାନେ ପରିଦର୍ଶକଙ୍କ ପାସ ପାଇଁ ରେକମେଣ୍ଡ କରନ୍ତି । ସାଂସଦମାନେ ସିଧାସଳଖ କିଛି ଲୋକଙ୍କୁ ଜାଣିଥାନ୍ତି । ନିଜ ଅଞ୍ଚଳର ଲୋକଙ୍କୁ ପାସ ଦେବାକୁ ସୁପାରିଶ କରନ୍ତି । କିଛି ସ୍ଥାନରେ ପରିଦର୍ଶକଙ୍କ ବାବଦରେ ସମ୍ପୂର୍ଣ୍ଣ ଭାବେ ଜାଣିବାର ଅବକାଶ ସାଂସଦଙ୍କ ପାଖରେ ନଥାଏ । ସଙ୍ଗେ ସଙ୍ଗେ ଟିକିନିଖି ଅନୁସନ୍ଧାନ କରି ପାସ ସୁପାରିଶ କରିବାକୁ ସାଂସଦ ପାଖରେ ସଂସ୍ଥା ନାହିଁ । ପାସ ଇସ୍ୟୁରେ ଅଧିକ ଅନୁସନ୍ଧାନ କରାଯିବାର ଆବଶ୍ୟକତା ଅଛି " ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଏହା ବି ପଢନ୍ତୁ...ସଂସଦ ସୁରକ୍ଷା ବିଭ୍ରାଟ: ଏବେବି ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫେରାର


"ସବୁ ରାଜନୈତିକ ଦଳ ଏପରି ପ୍ରସଙ୍ଗକୁ ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ବିଚାର କରିବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ପରସ୍ପର ପ୍ରତି ଆକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ସଂସଦର ପ୍ରସଙ୍ଗ । ସଂସଦ ସମସ୍ତଙ୍କର । ସଂସଦର ମର୍ଯ୍ୟାଦା, ସ୍ୱାଭିମାନର କଥା । ରାଜନୈତିକ କନ୍ଦଳକୁ ନଯାଇ ଆଗାମୀ ଦିନରେ ଏହାର ସୁରକ୍ଷା ବ୍ୟବସ୍ଥା କିପରି ଅଧିକ ସୁରକ୍ଷିତ ହେବ ସେ ସମ୍ପର୍କରେ ସରକାର ଓ ସମସ୍ତ ରାଜନୈତିକ ଦଳ ଧ୍ୟାନ ଦେବାର ଆବଶ୍ୟକତା ରହିଛି" ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details