ଭୁବନେଶ୍ବର: ଶକ୍ତିଶାଳୀ ହେଉଛି କଂଗ୍ରେସ ସମ୍ରାଜ୍ୟ । ଏବେ ଦଳରେ ସାମିଲ ହୋଇଛନ୍ତି କ୍ରୀଡ଼ା କିମ୍ବଦନ୍ତୀ । ହକି ଛାଡ଼ି ଏବେ ହାତ ଧରିଛନ୍ତି ହକିମ୍ୟାନ ପ୍ରବୋଧ ତିର୍କୀ । ଆନୁଷ୍ଠାନିକ ଭାବେ କଂଗ୍ରେସରେ ମିଶିଛନ୍ତି ହକି ତାରକା ପ୍ରବୋଧ ତିର୍କୀ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ମିଶିଛନ୍ତି ପ୍ରବୋଧ ତିର୍କୀ । ମିଶ୍ରଣ ପର୍ବରେ ପ୍ରଭାରୀ ଚେଲ୍ଲା କୁମାର, ପୂର୍ବତନ ପିସିସି ସଭାପତି ଓ ପ୍ରଚାର କମିଟି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତ କୁମାର ଚମ୍ପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।
ହକି ତାରକା ପ୍ରବୋଧ ତିର୍କୀ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି । ଖେଳ ମୈଦାନ ଛାଡ଼ି ରାଜନୀତି ମୈଦାନରେ ପାଦ ଥାପିଛନ୍ତି ଅନ୍ତର୍ଜାତୀୟ ହକି କ୍ରୀଡ଼ାବିତ୍ ପ୍ରବୋଧ । ଅନ୍ତର୍ଜାତୀୟ ହକି ଖେଳାଳି ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ହକି ଓ ଏୟାର ଇଣ୍ଡିଆ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ନିକଟରେ ଗାଁକୁ ଫେରିବା ପରେ ପ୍ରବୋଧ କଂଗ୍ରେସରେ ଯୋଗ ଦେବା ନେଇ ସୂଚନା ମିଳିଥିଲା । ଏପରିକି ତଳସରା ବିଧାନସଭା ପାଇଁ ସେ କଂଗ୍ରେସ ଟିକଟରେ ଲଢ଼ିବାକୁ ଚାହୁଁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କିଛିଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ଜୋର୍ ଧରିଥିଲା । ଆଜି ବିଦ୍ଧିବଦ୍ଧ ଭାବେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି ।
ହକି ତାରକା ଭାବେ ଦେଶରେ ସୁନାମ ଅର୍ଜିଥିବା ପ୍ରବୋଧ ବର୍ତ୍ତମାନ କଂଗ୍ରେସରେ ସାମିଲ ହେବା ପରେ ତଳସରା ତଥା ସୁନ୍ଦରଗଡ଼ ରାଜନୀତିକୁ ସରଗରମ କରିଛି । ହକିରେ ପଡ଼ିଆରେ ରଣନୀତି ପ୍ରୟୋଗ କରି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଉଥିବା ଏହି କ୍ରୀଡା କିମ୍ବଦନ୍ତୀ କଂଗ୍ରେସକୁ ଉଦ୍ଧାର କରିପାରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସର ଗଡ଼ ରହିଥିବା ତଳସରା ବିଧାନସଭାକୁ ୨୦୧୯ରେ ବିଜେପି ଛଡ଼ାଇ ନେଇଥିଲା । ପ୍ରବୋଧଙ୍କ ଦଳରେ ସାମିଲ ହେବାପରେ କଂଗ୍ରେସ ତାର ଆସନ ଫେରି ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଭରସା କରି ହାତ ଧରୁଥିବା ରାଜନୈତିକ ଏବଂ ସାମାଜିକ ବ୍ୟକ୍ତି ବିଶେଷ କଂଗ୍ରେସର 9ରୁ 90 ସଂକଳ୍ପ ହାସଲ କରିବାରେ କେତେ ସକ୍ଷମ ହେଉଛି ନିର୍ବାଚନ ଫଳାଫଳ ପରେ ତାହା ସ୍ପଷ୍ଟ ହେବ ।