ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଗଲାଣି ଦଳ ଡିଆଁ ପ୍ରକ୍ରିୟା । ନିକଟରେ ଭେଟେରାନ ନେତା ଦାମୋଦର ରାଉତ ନିଜ ପୂର୍ବ ଦଳ ବିଜେଡିକୁ ଫେରିଥିବା ବେଳେ, କଂଗ୍ରେସକୁ ଫେରୁଛନ୍ତି ପୂର୍ବତନ ସାଂସଦ ହେମା ଗମାଙ୍ଗ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆସନ୍ତା ୭ ତାରିଖରେ କଂଗ୍ରେସ ଦଳରେ ମିଶିବେ । ଏଥିପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ତରଫରୁ ମିଳିଛି ଗ୍ରୀନ ସିଗନାଲ। ପୁଣି କଂଗ୍ରେସକୁ ଫେରିବାକୁ ଯାଉଛି ଗମାଙ୍ଗ ପରିବାର । 7 ତାରିଖରେ କଂଗ୍ରେସ ଭବନରେ ନୂଆ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଉପସ୍ଥିତିରେ ମେଗା ମିଶ୍ରଣ ପର୍ବ ହେବ । ହେମା ଗମାଙ୍ଗ 2000 -2004 ଯାଏଁ କୋରାପୁଟ ସାଂସଦ ଓ 2004 -2009 ଯାଏଁ କଂଗ୍ରେସ ଟିକେଟରେ ଗୁଣୁପୁର ବିଧାୟିକା ଥିଲେ । ଏତଦ ବ୍ୟତୀତ ସେ 9 ଥର AICC ସମ୍ପାଦିକା ଓ 4 ଥର ରାଜ୍ୟ କଂଗ୍ରେସର ଉପ ସଭାନେତ୍ରୀ ହୋଇଥିଲେ। ପୂର୍ବରୁ କଂଗ୍ରେସ ଛାଡି ୨୦୧୪ ରେ ସେ ବିଜେଡି଼ ରେ ଯୋଗ ଦେଇ ଥିଲେ । ପରବର୍ତ୍ତୀ ସମୟରେ ୨୦୨୩ ମସିହାରେ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ ।
ହେମା କହିଛନ୍ତି, କଂଗ୍ରେସରେ ସାମିଲ ହେବା ନେଇ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିଲି । ଏପରିକି ଦିଲ୍ଲୀ AICC ରୁ ମଧ୍ୟ ସଂକେତ ମିଳି ଯାଇଛି । ସେହି ପରି ଏ ଅବସରରେ ହେମାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଡ଼ ଅଜୟ କୁମାରଙ୍କ ସହିତ ଆଲୋଚନା ପରେ ପ୍ରଥମେ ମାଆ କଂଗ୍ରେସ ରେ ଯୋଗ ଦେବେ । ତାପରେ ପିତା ଗିରିଧର ଗମାଙ୍ଗ ଓ ମୁଁ ମଧ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବୁ । ବର୍ତ୍ତମାନ ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଫ୍ରେଣ୍ଡଲି ପ୍ରତିଯୋଗିତା ଭଳି କାମ କରୁଛନ୍ତି । ତେଣୁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ ।