ଖୋର୍ଦ୍ଧା: ଓଡ଼ିଶା ବିକାଶର ବିଶ୍ଵକର୍ମା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ତାଙ୍କ ପାଇଁ ଓଡ଼ିଶାରେ ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ପ୍ରତିଷ୍ଠା ହୋଇପାରିଥିଲା । କେବଳ ସେତିକି ନୁହେଁ, କଳାହାଣ୍ଡି ଭୋକର ଭୁଗୋଳକୁ ପରିବର୍ତ୍ତନ କରି ଚାଷ ସମୃଦ୍ଧ କରିପାରିଥିଲେ ଜାନକୀ ବାବୁ । ଆଜି ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ 98 ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜାନକୀ ବଲ୍ଲଭ ଉଦ୍ୟାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି କହିଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।
କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଜାନକୀ ବାବୁଙ୍କୁ ମନେ ପକାଇ କହିଛନ୍ତି, "ଜାନକୀ ବାବୁଙ୍କର ଅନେକ କ୍ଷେତ୍ରରେ ପାରଦର୍ଶିତା ଥିଲା । ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସାମ୍ବାଦିକତା କ୍ଷେତ୍ରରେ ସେ ଦକ୍ଷ ଥିଲେ । ଜାନକୀ ବାବୁ ବିଭିନ୍ନ ପୌରାଣିକ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରି ପାଠକଙ୍କ ପାଖରେ ବେଶ ପରିଚିତ ହୋଇପାରିଥିଲେ । ବିଶେଷ କରି ଖୋର୍ଦ୍ଧା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ସେହିଭଳି ସେ ଜଣେ ବିଦ୍ବାନ ମୁଖ୍ୟମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ, ଆସାମ ରାଜ୍ୟପାଳ ଥିବା ସମୟରେ ଆସାମରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ସହ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଜଗନ୍ନାଥଙ୍କ ଲୀଳା ସର୍ବବ୍ୟାପୀ କରିଥିଲେ ।"
ଏହା ମଧ୍ୟ ପଢ଼ନ୍ତୁ...ଉନ୍ମୋଚନ ହେଲା ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି, ବ୍ୟକ୍ତିତ୍ବକୁ ଭଲପାଇବାକୁ ସୌମ୍ୟଙ୍କ ପରାମର୍ଶ