ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବିଜେଡି ନେତା ଏନ ଭାସ୍କର ରାଓ: ବିରୋଧୀ ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ ଭାସ୍କର ରାଓ ନକ୍ସଲ ସଂଗଠନକୁ ଆର୍ଥିକ ସହାୟତା ଦେଉଛନ୍ତି । ଟ୍ରକ ମାଲିକ ସଙ୍ଘ ଠାରୁ ଚାନ୍ଦା ସଂଗ୍ରହ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଘଟଣକୁ ନେଇ ଥାନାରେ ଏତାଲ ଦିଆଯାଇଥିଲେ ମଧ୍ୟ ପୋଲିସ ଚୁପ ରହିଛି । ଏଭଳି ସଂଗୀନ ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ ।
ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି ‘‘ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ ଭାସ୍କର ରାଓ ନକ୍ସଲ ସଂଗଠନକୁ ଆର୍ଥିକ ସହାୟତା ଦେଉଛନ୍ତି । ଟ୍ରକ ମାଲିକ ସଙ୍ଘ ଠାରୁ ଚାନ୍ଦା ସଂଗ୍ରହ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ।’’ ଏନେଇ ଟ୍ରକ ମାଲିକ ସଙ୍ଘ ରାୟଗଡା ଥାନାରେ ଏତଲା ଦେଇଥିଲେ ସୁଦ୍ଧା ପୋଲିସ ନିରବ ଥିବା ଅଭିଯୋଗ କରିଛନ୍ତି ଗଣେଶ୍ବର । ପୁରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ।
ଏହାବି ପଢନ୍ତୁ- ANI Account Locked: ନ୍ୟୁଜ ଏଜେନ୍ସି ANIର ଟ୍ବିଟର ଆକାଉଣ୍ଟ ଲକ୍, ଆସିଲା ଅଜବ ମେଲ୍
ଗଣେଶ୍ବର କହିଛନ୍ତି ସରକାର ସବୁ ବେଳେ କହୁଛନ୍ତି ଆଇନ ତା ବାଟରେ ଯିବ । ବିଶେଷ କରି ମୁଖ୍ୟମନ୍ତ୍ରୀ କହିଚାଲିଥିଲେ ଏହା । କିନ୍ତୁ କିଛି ଦିନ ହେଲା ଏବାକ୍ୟ ଶୁଣିବାକୁ ମିଳୁନି। ମୁଖ୍ୟମନ୍ତ୍ରୀ କହିଲେ ବି ଆଇନ ତା ବାଟରେ ଯାଉନି ବୋଲି ନିରବ ରହିଲେ କି? ରାଜ୍ୟରେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ ସରକାରୀ ଦଳ ପାଇଁ ଗୋଟେ ଆଇନ। ଆଇନର ଶାସନ ନାହିଁ। ଓଡ଼ିଶାରେ ନକ୍ସଲ ମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବିଜେଡି ଦଳର ନେତା ତଥା ପୂର୍ବତନ ସାଂସଦ ଭାସ୍କର ରାଓ। ଟ୍ରକ ମାଲିକ ସଙ୍ଘ ସଦସ୍ୟ ମାନେ ରାୟଗଡା ଥାନାରେ ଏତଲା ଦେଇଛନ୍ତି । ଚଳିତ ମାସ 18 ତାରିଖରେ ଏତଲା ଦିଆଯାଇଛି । ଏତଲାରେ ଆର୍ଥିକ ଅନିୟମିତତା କଥା କୁହାଯାଇଛି।18 ତାରିଖରେ ଏଥଲା ଦିଆଯାଇଥିଲେ ସୁଦ୍ଧା 29 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ।
ଗଣେଶ୍ବର ଆହୁରି କହିଛନ୍ତି ଭାସ୍କର ରାଓ ଙ୍କ ନା ସଂଘ ପକ୍ଷକୁ ଏତଲା ଦିଆଯାଇଛି । 37 ବର୍ଷ ଧରି ସେ ସଙ୍ଘର ଦାୟିତ୍ୱରେ ଥିଲେ । ଏବେ ପ୍ରଚ୍ଛଦ ପଟରେ ରହି କାର୍ଯ୍ୟ କରୁଛନ୍ତି। ତାଙ୍କ ନା ରେ ଅର୍ଥ ତୋଷାରପାତ ଅଭିଯୋଗ ରହିଛି । ଭାସ୍କର ରାଓ ଟ୍ରକ ମାଲିକ ମାନଙ୍କୁ ଡାକି ଚାନ୍ଦା ଆଦାୟ କରିଛନ୍ତି ନକ୍ସଲ ଙ୍କୁ ଦେବା ପାଇଁ। ସରକାରୀ ଦଳର ନେତା ନକ୍ସଲଙ୍କୁ ଦେଉଛନ୍ତି ଆର୍ଥିକ ସହାୟତା। ସରକାରୀ ଦଳ ର ସ୍ବୀକୃତି ପ୍ରାପ୍ତ ନେତା ହୋଇଥିବାରୁ ସରକାର ନିରବ ରହିଛନ୍ତି।
ଗତ 2022 ରେ ଓଡିଶାରେ 12 ଟି ସ୍ଥାନ ରେ ନକ୍ସଲ ହିଂସା ଘଟିଛି ବୋଲି ବିଧାନସଭାରେ ଶ୍ୱେତପତ୍ର ଜରିଆରେ ସରକାର କହିଛନ୍ତି। 7 ଜଣ ମାଓବାଦୀଙ୍କୁ ହତ୍ୟା 12 ଜଣଙ୍କୁ ଗିରଫ କରାଯାଇଥିବା କଥା ବି ସରକାର କହିଛନ୍ତି। ଗୋଟିଏପଟେ ସରକାର ନକ୍ସଲ ମାନଙ୍କ ବିରୋଧରେ ଲଢୁଛନ୍ତି । ଅନ୍ୟପଟେ ସରକାରୀ ଦଳର ନେତା ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଏହା କେମିତି କାର୍ଯ୍ୟ ବୋଲି ଦଳ ପ୍ରଶ୍ନ କରିଛି ? ତେଣୁ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଉ। ନଚେତ ପ୍ରସଙ୍ଗକୁ ନେଇ ଲୋକମାନଙ୍କ ପାଖକୁ ଯିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ଗଣେଶ୍ବର ।
ସେପଟେ ଏହାକୁ ନେଇ ବିଜେପି କହିଛି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଅତୀତରେ ମଧ୍ୟ ବିଜେଡିର ଅନେକ ନେତାମାନେ ନକ୍ସଲମାନଙ୍କ ସମ୍ପର୍କରେ ଥିଲେ । ସେମାନଙ୍କ ନିର୍ବାଚନ ଏବଂ ବ୍ୟବସାୟ ସମୟରେ ଏକଥା ଉପରକୁ ଜଣାପଡିଲେ ବି ସେ ଲୁଚାଇଥାନ୍ତି । ଏପଟେ ବିଜେଡି ସରକାର କୁହନ୍ତି ନକ୍ସଲ ଦମନରେ ଅଛୁ । କିନ୍ତୁ ପ୍ରକୃତରେ ବିଜୁ ଜନତା ଦଳର ନେତା ନକ୍ସଲଙ୍କ ସମ୍ପର୍କରେ ଥାନ୍ତି ଏକଥା ସ୍ପଷ୍ଟ ହୋଇଛି । ଏସମ୍ପର୍କରେ ଗୃହ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପଚାରିଲେ ଓଡିଶାବାସୀ ଜାଣିପାରିବେ ବିଜେଡି ନେତାଙ୍କର କେତେ ରୂପ ବୋଲି କହିଛନ୍ତି ଦଳର ମିଡିଆ ସେଲ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ।
ଇଟିଭି ଭାରତ, ଭୁବନେଶ୍ବର