ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନା । ଆଜି ଶଙ୍ଖଭବନରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ନୃପଚରଣ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ନୃପଚରଣଙ୍କୁ ଉପଢୌକନ ଦେଇ ଦେବୀ ଓ ମାନସ ଦଳକୁ ସ୍ବାଗତ କରିଛନ୍ତି । ନୃପଚରଣ ଦଣ୍ଡସେନାଙ୍କ ଯୋଗଦାନ ଫଳରେ ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି କହିଛି ଦଳ ।
ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଯୋଗଦେଇ ନୃପଚରଣ ଦଣ୍ଡସେନା କହିଛନ୍ତି, "ମୁଁ 35 ବର୍ଷ ଧରି ପୋଲିସ ଚାକରି କରିଥିଲି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବାକୁ ଅନୁରୋଧ କରିଥିଲି । ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ଧନ୍ୟବାଦ । ଜନସେବା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣକଲ୍ୟାଣକାରୀ ଯୋଜନା ଗାଁ ଗାଁରେ ପହଞ୍ଚାଇବାକୁ ଚେଷ୍ଟା କରିବି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ସହ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବି ।"
ଏପଟେ ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ନୂଆ ଦାୟିତ୍ବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଛନ୍ତି । ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି " ମୁଖ୍ୟମନ୍ତ୍ରୀ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୁଁ ସୁଚାରୁ ଭାବେ କାର୍ଯ୍ୟ କରିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ଜାରୀ ରହିଛି । ସେଥିରେ ଆକୃଷ୍ଟ ହୋଇ ବହୁ ଲୋକ ଦଳରେ ସାମିଲ ହେଉଛନ୍ତି । ଅବସରପ୍ରାପ୍ତ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନାଙ୍କ ନେତୃତ୍ୱରେ ବହୁ ଲୋକ ଦଳରେ ସାମିଲ ହୋଇଛନ୍ତି । ଜଣେ ଶୃଙ୍ଖଳିତ ଅଧିକାରୀ ଭାବେ ନୃପଚରଣ ଦଣ୍ଡସେନାଙ୍କର ଖ୍ୟାତି ରହିଛି । ସେହିପରି ସେ ଦଳରେ ରହି ମଧ୍ୟ କାର୍ଯ୍ୟ କରିବେ । ବିଜେଡିରେ ସାମିଲ ହେବା ଲାଗି ସେ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଆବେଦନ କରିଥିଲେ । ସୁପ୍ରିମୋଙ୍କ ଅନୁମୋଦନ ପରେ ଆଜି ସେ ଦଳରେ ସାମିଲ ହୋଇଛନ୍ତି ।"