ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ଅଣଗେଜେଟେଡ ବନସେବା ସଂଘ ଭୁବନେଶ୍ବର: ଆଜିଠାରୁ ସମୂହ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ଅଣଗେଜେଟେଡ ବନସେବା ସଂଘ । ଆଜିଠାରୁ ୫୩୭୬ ଫରେଷ୍ଟଗାର୍ଡ,୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ପ୍ରତୀକ ଭାବରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅର୍ଥାତ୍ ଡ୍ୟୁଟିରେ ରହି ମଧ୍ୟ ପାଟ୍ରୋଲିଂ କରିବେ ନାହିଁ ।
ବନ କର୍ମଚାରୀ ଭାସ୍କର ମହାରଣା କହିଛନ୍ତି, "ଆଜିଠାରୁ ସମୂହ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ଅଣଗେଜେଟେଡ ବନସେବା ସଂଘ। ଆଜିଠାରୁ ୫୩୭୬ ଫରେଷ୍ଟଗାର୍ଡ, ୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ପ୍ରତୀକ ଭାବରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଡ୍ୟୁଟିରେ ରହି ମଧ୍ୟ ପାଟ୍ରୋଲିଂ କରିବୁ ନାହିଁ । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରାଯିବ । ଏହି ସମୟ ମଧ୍ୟରେ ସରକାର ଯେଉଁ ୫ ଦଫା ଦାବି ରହିଛି ତାହା ପୂରଣ ନକରନ୍ତି ତେବେ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ସମୂହ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ତେବେ ୫ଟି ପ୍ରମୁଖ ଦାବି ହେଉଛି ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ୱେଲଫେୟାର ଫଣ୍ଡ, ସର୍କଲ ରି ଅର୍ଗାନାଇଜେସନ୍ , ରେଞ୍ଜ୍ ସେକ୍ସନ ଏବଂ ବିଟ୍ ଗୁଡିକର ରିଭିଜନ୍ ସହ ଆଡିକ୍ଟେଡ୍ ନମ୍ବର ବଢାଇବା ଭଳି ଦାବି ଆମର ରହିଛି ।"
ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି ଯେ, ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ମୃତ୍ୟୁ ପ୍ରସଙ୍ଗ ଦୁର୍ଭାଗ୍ୟଜନକ । ଘଟଣା ଦିନ ଜଙ୍ଗଲରେ ୬ ଜଣ ବନ କର୍ମଚାରୀ ଡିୟୁଟିରେ ରହିଥିଲେ । ତେବେ ଭୋର ସମୟରେ ଶିକାର ଉଦ୍ଦେଶ୍ୟରେ ଯାଇଥିବା ଶିକାରି ନଜରକୁ ଆସିଥିଲେ । ଏହାପରେ ବନ କର୍ମଚାରୀମାନେ ଆତ୍ମସମର୍ପଣ କରିବାକୁ କହିଥିଲେ । କିନ୍ତୁ ଶିକାରୀ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଯାହା ଫଳରେ ବନ କର୍ମଚାରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ବନ୍ୟଜନ୍ତୁ ଶିକାର କରୁଥିବା ଦୁର୍ବୃର୍ତ୍ତ ସ୍ଥାନୀୟ ବାସିନ୍ଦା ବୋଲି ସନ୍ଦେହ କରାଯାଉଛି । ବାହାର ରାଜ୍ୟର କୌଣସି ଅପରାଧୀ ଏଥିରେ ସମ୍ପୃକ୍ତ ନାହାନ୍ତି । ତଦନ୍ତ ଜାରି ରହିଛି । ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଡିଜିଙ୍କ ସହ ଆଲୋଚନା ହୋଇଛି ।
ସେ ଆହୁୁରୀ ମଧ୍ୟ କହିଛନ୍ତି, "ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରନ୍ତୁ । କିଛି ଦାବି ପୂରଣ ହୋଇଛି, ଆଉ କିଛି ନେଇ ଆଲୋଚନା ହେଉଛି । ଏହାସହ ମେ' 22 ଘଟଣା ପରେ ଅନୁକମ୍ପା ରାଶି 4 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି ହୋଇଛି । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଛି । ଘଟଣା ବେଳେ ଫରେଷ୍ଟରଙ୍କ ପାଖରେ ରିଭଲବର ଥିଲା । ହେଲେ ଅଚାନକ ଶିକାରୀ ଗୁଳି ଚଳାଇଥିବାରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା। ବିଭିନ୍ନ ଡିଭିଜନ ରିଷ୍ଟ୍ରକଚରିଂ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ଜୋନ୍ ସୀମାରେ ପରିବର୍ତ୍ତନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର