ଭୁବନେଶ୍ବର: ହାତୀ ଓ ମଣିଷ ଲଢେଇ ଉଗ୍ର ରୂପ ନେଉଛି । ଅନେକ ଧନଜୀବନ ନଷ୍ଟ ହେବାପରେ ଚେତିଲା ବନ ବିଭାଗ । ଏହି ଲଢେଇରେ ଧନଜୀବନ ନଷ୍ଟ ରୋକିବାକୁ ବହୁସୂତ୍ରୀ ଫର୍ମୁଲା ଆପଣେଇଲା ବନ ବିଭାଗ । ଏଣିକି ହାତୀ ବେକରେ ଲାଗିବ ରେଡିଓ କଲାର । ଯାହା ସାହାଯ୍ୟରେ ଭବିଷ୍ୟତରେ ହାତୀ ଓ ମଣିଷ ଲଢେଇ ରୋକାଯାଇ ପାରିବ ଓ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ ।
'ଗଜସାଥୀ' କାର୍ଯ୍ୟକ୍ରମ ସହ ଏଣିକି ଯୋଡ଼ି ହେଲା ଆଉ ୩ଟି ନୂଆ କାର୍ଯ୍ୟକ୍ରମ । ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ୍ ଲାଗିବ । ଚଳିତ ବର୍ଷ 'ଗଜସାଥୀ' କାର୍ଯ୍ୟକ୍ରମକୁ ଆହୁରି ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଏହି କାର୍ଯ୍ୟକ୍ରମ ଦୁଇ ହଜାର ଗ୍ରାମକୁ ସମ୍ପ୍ରସାରଣ କରାଯିବ । ହାତୀମାନଙ୍କର ଗତିବିଧି ଉପରେ ନଜର ଦେବା ପାଇଁ ହାତୀ ବେକରେ ଲାଗିବ ରେଡିଓ କଲାର ସିଷ୍ଟମ । ଏନେଇ ବେଙ୍ଗାଲୁରୁର ଏକ କମ୍ପାନୀ ସହିତ ଏମ୍ଓୟୁ ସ୍ବାକ୍ଷର କରିଛି ବନ ବିଭାଗ । ତେବେ ପ୍ରାଥମିକ ଭାବରେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର । ପ୍ରଥମ କରି ମାଇ ହାତୀ କିମ୍ବା ଦନ୍ତାହାତୀ ଠାରେ ରେଡିଓ କଲାର ଲାଗିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ପୂର୍ବରୁ ଅନ୍ୟ ରାଜ୍ୟରେ ଏହାକୁ ପରୀକ୍ଷା କରାଯାଇଛି । ଯାହା ପରବର୍ତ୍ତୀ ସମୟରେ ମଧ୍ୟ ସଫଳତା ପାଇଛି । ତେବେ ଯଦି ଏହା ଓଡ଼ିଶାରେ ସଫଳ ହେଲା, ତେବେ ଅନ୍ୟ ହାତୀମାନଙ୍କ ଦେହରେ ମଧ୍ୟ ଲଗାଯିବ ବୋଲି ଜଣାପଡ଼ିଛି ।