ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ୁଥିବା ବେଳେ ବ୍ୟାପୁଥିବା ଜଙ୍ଗଲ ନିଆଁ ଚିନ୍ତା ବଢ଼ାଉଛି । ଅନ୍ୟପଟେ ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ମଧ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିଦ ହଜାଇଛି । ଏହି ପରିପ୍ରେକ୍ଷୀରେ ଉଭୟ ହାତୀ ମାନଙ୍କ ସୁରକ୍ଷା ଓ ଜଙ୍ଗଲ ନିଆଁକୁ ଆୟତ କରିବାକୁ ପଦକ୍ଷେପ ନିଆଯାଉଥିବା ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । କେବଳ ହାତୀ କାହିଁକି, ଅନ୍ୟ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ଜଙ୍ଗଲ ନିଆଁ ଲିଭାଇବାକୁ ମଧ୍ୟ ପ୍ରାଥମିକତା ଦିଆଯାଉବା କହିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।
ମନ୍ତ୍ରୀ କହିଛନ୍ତି, "ହାତୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସବୁ ସମୟରେ ତତ୍ପର ରହିଛନ୍ତି । ମଣିଷ ଓ ହାତୀ ଲଢେଇକୁ ପ୍ରଶମିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଯେତେବେଳେ ଯାହା ଘଟଣା ଘଟୁଛି, ସରକାର ତୁରନ୍ତ ତଦନ୍ତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କେବଳ ହାତୀ ନୁହେଁ, ସବୁ ପଶୁପକ୍ଷୀଙ୍କ ସୁରକ୍ଷା ଓ ଖରାଦିନେ ଜଳ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ମଧ୍ୟରେ ପୋଖରୀର ବ୍ୟବସ୍ଥା କରାଯାଉଛି । ଖରାଦିନେ କିଭଳି ଜୀବଜନ୍ତୁ ପାଣି ପାଇବେ, ସେଥିପାଇଁ ଆମେ କାର୍ଯ୍ୟକ୍ରମ ହାତକୁ ନେଇ ସାରିଛୁ । ସେହି କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ସାଟେଲାଇଟ ମାଧ୍ୟମରେ ଯେଉଁଠି ବି ନିଆଁ ଲାଗିବ ତୁରନ୍ତ ଜଣାପଡିବ । ଚାଷ କାମ ପରେ ଚାଷୀମାନେ ପାଳକୁ ପୋଡ଼ି ଦେଉଛନ୍ତି । ସେଥିରେ ମଧ୍ୟ ନିଆଁ ସୃଷ୍ଟି ହେଉଛି । ସେଇଟା ମଧ୍ୟ ସାଟେଲାଇଟକୁ ଯାଉଛି । ସାଟେଲାଇଟ ମାଧ୍ୟମରେ ଆସୁଥିବା ସବୁ ଯେ ଜଙ୍ଗଲ ନିଆଁ ତାହା ଠିକ ନୁହେଁ । ଯେଉଁ ଜାଗାରେ ନିଆଁ ଲାଗୁଛି, ତୁରନ୍ତ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳକୁ ଯାଉଛନ୍ତି ।"