ଓଡିଶା

odisha

ETV Bharat / state

ଲୋକକଳା ବଞ୍ଚାଇ ରଖିବାକୁ ପ୍ରୟାସ, 'କଳାକାରଙ୍କୁ ଖୁବଶୀଘ୍ର ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ'

Awareness For Folk Art: ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି କହିଛନ୍ତି ପାଣ୍ଡିଆନ । ଲୋକକଳାକୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅଧିକ ପଢନ୍ତୁ

ଲୋକକଳା ସଚେତନତା
ଲୋକକଳା ସଚେତନତା

By ETV Bharat Odisha Team

Published : Jan 5, 2024, 10:42 PM IST

ଭୁବନେଶ୍ବର:ଲୋକସେବା ଭବନ କନଭେସନ ସେଣ୍ଟରରେ ଲୋକକଳାକୁ ନେଇ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମ୍ମିଳନୀ । ବ୍ଲକ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ଦ୍ବାରା ଏହି ସମ୍ମିଳନୀ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ 5T ତଥା 'ଆମ ଓଡିଶା ନବୀନ ଓଡ଼ିଶାର' ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ କହିଛନ୍ତି , "ସଂସ୍କୃତିକୁ ଗତିଶୀଳ କରିବା ପାଇଁ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ । ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ । ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି ନିମନ୍ତେ ସେ ସର୍ବଦା ଗୁରୁତ୍ୱାରୋପ କରୁଛନ୍ତି ।"

"ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଆଉ କିଛି ନାହିଁ । ମିଶନ ଶକ୍ତି ଯେପରି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି, ଅନୁରୂପ ଢାଞ୍ଚାରେ କଳାକାର ସଂଘକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସଂଘକୁ 5T ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ସଂଘ କାର୍ଯ୍ୟାଳୟ ଖୋଲାଯିବ" ବୋଲି କହିଛନ୍ତି ପାଣ୍ଡିଆନ। ଓଡ଼ିଶାକୁ ଆଗେଇ ନେବା ସହ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ନବୀନ ଓଡ଼ିଶା ଗଠନରେ କଳାକାରମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ସେ କହିଛନ୍ତି ।



ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଥିବା ସମୟର ଅଭିଜ୍ଞତା ବାଣ୍ଟିଛନ୍ତି 5T ଅଧ୍ୟକ୍ଷ । ପାଣ୍ଡିଆନ କହିଛନ୍ତି ଯେ, ପନ୍ଦର ବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ଅଧିକ ଥିଲା । ଜିଲ୍ଲାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା । ଏଥିପାଇଁ ଲୋକକଳାର ଭୂମିକା ପ୍ରଶଂସନୀୟ ଥିଲା । ୨ ବର୍ଷ ମଧ୍ୟରେ ଏହାର ସୁଫଳ ମିଳିଥିଲା । ଲୋକକଳାର ପ୍ରଭାବୀ ସଚେତନତା ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖକୁ ତୃଣମୂଳ ସ୍ତରରେ ପହଞ୍ଚାଇପାରିବ ।

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ଲୋକମହୋତ୍ସବରେ ଲୋକନୃତ୍ୟ, ଆକର୍ଷଣ ପାଲଟିଲେ ଥାଇଲାଣ୍ଡ କଳାକାର

ଆଜିର ସମ୍ମିଳନୀରେ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ କଳାକାରମାନଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ଏକ ପୁସ୍ତିକା ଉନ୍ମୋଚିତ ହୋଇଛି । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ମିଶନ ଶକ୍ତି ଯୁଗ୍ମ ଶାସନ ସଚିବ ବିନୋଦ ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଅତସୀ ଦାସ, ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ପରାମର୍ଶଦାତା କୃଷ୍ଣଚନ୍ଦ୍ର ନିଶା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details