ଭୁବନେଶ୍ବର: ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ । ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ଵରରେ ଆୟୋଜିତ ବଜେଟ ପରବର୍ତ୍ତୀ ଆଲୋଚନା ଚକ୍ରରେ ଯୋଗ ଦେଇ ଅର୍ଥମନ୍ତ୍ରୀ ଏପରି କହିଛନ୍ତି । ଏହାସହିତ ଆଲୋଚନା ଚକ୍ରରେ ଶିଳ୍ପପତି, ପୁଞ୍ଜିନିବେଶକାରୀଙ୍କ ସହିତ ସୀତାରମଣ ଆଲୋଚନା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ । ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । ରାଜ୍ୟ ଗୁଡ଼ିକ ଲାଗି ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି ।
ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ । କେନ୍ଦ୍ର ସରକାରଙ୍କ ଡେଭଲମେଣ୍ଟ ଗୋଲର କେନ୍ଦ୍ରରେ ରହିଛି MSME । ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପୂର୍ବରୁ ଆକାଂକ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା । ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫୦୦ ଆକାଂକ୍ଷୀ ବ୍ଳକ ଚିହ୍ନଟ କରାଯାଇଛି । ଏସବୁ ଅଞ୍ଚଳରେ ମୌଳିକ ସୁବିଧା ସହ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ । ଟେକ୍ନୋଲୋଜି ଭିତ୍ତିକ ବିକାଶ ଲାଗି ଶ୍ରମିକଙ୍କୁ ପ୍ରଶିକ୍ଷିତ କରାଯିବ । ଫସଲ ଫୁଏଲରୁ ଗ୍ରୀନ ଏନର୍ଜିକୁ ଟ୍ରାନସଫରମେସନ ଲାଗି ମଧ୍ୟ ବଜେଟରେ ଗୁରୁତ୍ବ ଦିଆଯାଇଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଠାରୁ ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସିଛନ୍ତି । ବଜେଟ ପରବର୍ତ୍ତୀ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ଆଜି ଖୋର୍ଦ୍ଧା ଅରୁଗୁଳ ସ୍ଥିତ ଆଇଆଇଟି କ୍ୟାମ୍ପସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।