ଖୋର୍ଦ୍ଧା:ସମଗ୍ର ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି । ଜିଲ୍ଲାର ସିମୋର-ବାଙ୍କି ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ପ୍ରତିବାଦ କରି ରାସ୍ତା ଉପରେ ପଥର ଥୋଇବା ସହ ତୁରନ୍ତ ଏହି ଅସୁବିଧାର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୂର୍ତ୍ତ ବିଭାଗ ଅଧିନ ସିମୋର-ବାଙ୍କି ୧୦ କିଲୋମିଟର ରାସ୍ତାଟି ଦୀର୍ଘଦିନ ହେଲା ଶୋଚନୀୟ ହୋଇ ପଡିରହିଛି । ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଏହି ରାସ୍ତାଟି ପ୍ରଶସ୍ତିକରଣ ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହେବା ସହିତ ଠିକାଦାର ଚୟନ କରାଯାଇଛି । ଗତ ଏପ୍ରିଲ ମାସରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଏହାର ଭିତ୍ତିପ୍ରସ୍ତର ଦିଆଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସେହିପରି ସିମୋର-ଗଁପୁର ରାସ୍ତା ଢ଼ଲାଇ କାର୍ଯ୍ୟ ଅଧ କିଲୋମିଟର ଚାଲିଥିବା ବେଳେ ସିମୋର ବଜାର ରାସ୍ତାକୁ ଖୋଳି ଦେଇ ଠିକାଦାର ଆଉ ଦେଖା ଦର୍ଶନ ଦେଉନାହାନ୍ତି । ଯାହା ଫଳରେ ଅସରାଏ ବର୍ଷାରେ ସିମୋର ବଜାର ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ଅନ୍ୟପଟେ ସିମୋର ବଜାରର ଉଭୟ ପାର୍ଶ୍ଵରେ କେତେକ ଘର ମାଲିକ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି । ଫଳରେ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏନେଇ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିନଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।ଟ