ଭୁବନେଶ୍ବର:ମାଛ ମାନଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ମାଛ ଧରା ବାରଣ ହୋଇଛି । ୬୧ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ଏହି ମାଛଧରା କଟକଣା । ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ଆଣିବା ପାଇଁ ଓଡ଼ିଶା ଉପକୂଳରେ ମାଛଧରା ଉପରେ ପ୍ରତିବର୍ଷ କଟକଣା ଜାରି କରାଯାଏ । ଚଳିତ ବର୍ଷ ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
କୃଷି ଭବନରେ ଆୟୋଜିତ ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବିଭିନ୍ନ ମତ୍ସ୍ୟଜୀବୀ ସଙ୍ଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ମାଛଧରା ନିଷେଧାଦେଶର ବିଭିନ୍ନ ଦିଗ ସମ୍ପର୍କରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ସମୁଦ୍ରରେ ବିଭିନ୍ନ ପ୍ରଜାତିର ମାଛ ବଂଶ ବୃଦ୍ଧି ଓ ସଂରକ୍ଷଣ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଯେପରି ଦୀର୍ଘ ସମୟ ଧରି ସମୁଦ୍ରରେ ମାଛ ଧରିବା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ସଂଘର ପ୍ରତିନିଧିମାନେ ଯନ୍ତ୍ରଚାଳିତ ମାଛଧାରା ଡଙ୍ଗା ଉପରେ କଟକଣା ଜାରି କରିବା ପାଇଁ କହିଛନ୍ତି ।