ଓଡିଶା

odisha

By

Published : Oct 22, 2022, 7:41 PM IST

ETV Bharat / state

Cyclone Alert: ଅକ୍ଟୋବର ୨୬ ଯାଏଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ

ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତାମୂଳକ ନିର୍ଦ୍ଦେଶ ଜାରି ହୋଇଛି । ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

Cyclone Alert: ଅକ୍ଟୋବର ୨୨ରୁ ୨୬ ସମୁଦ୍ରକୁ ମାଛଧରା ଡଙ୍ଗାକୁ ବାରଣ
Cyclone Alert: ଅକ୍ଟୋବର ୨୨ରୁ ୨୬ ସମୁଦ୍ରକୁ ମାଛଧରା ଡଙ୍ଗାକୁ ବାରଣ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗକୁ (Cyclone Sitrang) ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ । ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଚିଲିକାକୁ ଡଙ୍ଗା ନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ୨୨ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ବାରଣ କରାଯାଇଛି । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁମୋଦନ କ୍ରମେ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ମାରାଇନ୍‌ ଫିସ୍‌ ରେଗୁଲେସନ୍‌ ଆକ୍ଟ ୧୯୮୨ ଅନୁଯାୟୀ ଆଜି ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମତ୍ସ୍ୟଜୀବୀମାନଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଏବଂ ଚିଲିକା ହ୍ରଦରେ ଯନ୍ତ୍ରଚାଳିତ ତଥା ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାରଣ କରାଯାଇଛି । ଅକ୍ଟୋବର ୨୨ରୁ ୨୬ ତାରିଖ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନଯିବା ପାଇଁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ମତ୍ସ୍ୟ ଅଧିକାରୀମାନଙ୍କୁ ଏ ଦିଗରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

ଏଥିଲାଗି ମତ୍ସ୍ୟ ବିଭାଗ ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଇଛି । ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ବିଭାଗୀୟ ଅଧିକାରୀ ଏବଂ ମାରାଇନ୍ ପୋଲିସଙ୍କ ଦ୍ବାରା ମିଳିତ ଭାବେ ଉପକୂଳରେ ପାଟ୍ରୋଲିଂ କରାଯାଉଛି । ଏଥିସହିତ କୋଷ୍ଟାଗାର୍ଡ ପକ୍ଷରୁ ମଧ୍ୟରୁ ପାଟ୍ରୋଲିଂ କରାଯାଉଛି । କୌଣସି ମାଛଧରା ଡଙ୍ଗା ଯେପରି ସମୁଦ୍ର ଭିତରକୁ ନଯାଇପାରିବ ସେଥିଲାଗି ସାଗର ମିତ୍ର ଏବଂ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ଦ୍ବାରା ଉପକୂଳରେ ସତର୍କ ଦୃଷ୍ଟି ରଖାଯାଇଛି ।

ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାଗୁଡ଼ିକୁ ରାଜ୍ୟର ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକରେ ନିରାପଦ ଆଶ୍ରୟ ପାଇଁ ଅନୁମତି ଦିଆଯାଇଛି । ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଡଙ୍ଗା ଆସୋସିଏସନ ପକ୍ଷରୁ ବୈଠକ କରାଯାଇ ସମ୍ଭାବ୍ୟ ବାତ୍ୟା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ଥାଉ କି, ଆଜି ଅବପାତର ରୂପ ନେଇଛି ସୁଦୃଶ୍ୟ ଲଘୁଚାପ । ଆଣ୍ଡାମାନ ସାଗର ନିକଟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଥିବା (Depression forms over Bay of Bengal) ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD) ।

ଆସନ୍ତାକାଲି (ଅକ୍ଟୋବର ୨୩) ସକାଳ ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ଦିଗକୁ ଗତିକରି ପରେ ଦିଗ ବଦଳାଇବ । ଦିଗ ବଦଳାଇ ପରେ ଏହା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଆକଳନ କରାଯାଉଛି । ଏହାପରେ ଆସନ୍ତା ୨୫ ତାରିଖ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଊପକୂଳ ଛୁଇଁବ । ବାତ୍ୟା ପ୍ରଭାବରେ ଆସନ୍ତା ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇ ପରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details