ପ୍ରଥମ ଥର ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ; କବିତା ମାଧ୍ୟମରେ ସଂସ୍କୃତି ଓ ପରମ୍ପରାର ପ୍ରତିଛବି ଭୁବନେଶ୍ବର: ଜନଜାତିଙ୍କ ଅନନ୍ୟ ଐତିହ୍ୟ, ଭାଷା, ସଂସ୍କୃତି, ଲେଖନୀ, କାବ୍ୟ କବିତା ଆଦିର ସଂରକ୍ଷଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ନିକଟରେ ଆୟୋଜିତ ହୋଇଥିବା ଜନଜାତି ଲେଖକ ସମ୍ମିଳନୀରେ ବିଭିନ୍ନ ଲେଖକଙ୍କଠାରୁ ଜନଜାତି ପାଣ୍ଡୁଲିପି ସଂଗ୍ରହ କରାଯାଇଛି । ଯାହାକୁ ଡିଜିଟାଲ ମାଧ୍ୟମରେ ସଂରକ୍ଷିତ କରି ରଖାଯିବ । ଏହା କହିଛନ୍ତି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟକୁ କବିତା ମାଧ୍ୟମରେ ଉପସ୍ଥାପିତ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆଜି ରାଜ୍ୟସ୍ତରୀୟ କବି ସମ୍ମିଳନୀ ଉଦଘାଟନ ଅବସରରେ ସେ ଏହା କହିଛନ୍ତି ।
ପ୍ରଥମ ଥର ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ; କବିତା ମାଧ୍ୟମରେ ସଂସ୍କୃତି ଓ ପରମ୍ପରାର ପ୍ରତିଛବି ରାଜ୍ୟରେ ଜନଜାତି କବି ମାନଙ୍କୁ ନେଇ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଆୟୋଜନ କରିବା ଏହା ପ୍ରଥମ । ଦୁଇ ଦିନ ଧରି ଚାଲିବ ଏହି କବି ସମ୍ମିଳନୀ । 48 ଜଣ କବି ମାନଙ୍କୁ ନେଇ ସମ୍ମିଳନୀ ଆୟୋଜନ କରାଯାଇଛି । ଆଜି 24 ଜଣ କବି କବିତା ପାଠ କରିଛନ୍ତି । ସେମାନଙ୍କ ମଧ୍ୟରୁ ବିଂଝଲ ସମ୍ପ୍ରଦାୟରୁ 2 ଜଣ, କୋୟା ସମ୍ପ୍ରଦାୟରୁ 3 ଜଣ, କୁଇ ସମ୍ପ୍ରଦାୟରୁ 10 ଜଣ, ସଉରା ସମ୍ପ୍ରଦାୟରୁ 3 ଜଣ ଓ ପରଜା, ଲାଞ୍ଜିଆ, ଗୋଣ୍ଡ, କୁଭି, ଗଦବା, ଦେଶିଆ ସମ୍ପ୍ରଦାୟରୁ ଜଣେ ଲେଖାଏଁ କବି କବିତା ପାଠ କରିଛନ୍ତି । ଜନଜାତିଙ୍କ ସାହିତ୍ୟ ଓ ସଂସ୍କୃତିର ଅବଦାନକୁ ପାଳନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମ୍ମିଳନୀ ଜନଜାତିଙ୍କ ଲିଖିତ ଓ ମୌଖିକ କବିତାକୁ ସଂରକ୍ଷଣ କରିବାରେ ସହାୟକ ହେବା ସହ ସେମାନଙ୍କ ପ୍ରତିଭା ଓ ସୃଜନଶୀଳତା ଲୋକାଭିମୁଖୀ ହୋଇପାରିବ ।
ପ୍ରଥମ ଥର ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ; କବିତା ମାଧ୍ୟମରେ ସଂସ୍କୃତି ଓ ପରମ୍ପରାର ପ୍ରତିଛବି ଅଧିକ ପଢନ୍ତୁ- ଜନଜାତି ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟିତ : ମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ । ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି । ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର ବିକାଶରେ ବିଶେଷ ସହାୟକ ହୋଇପାରିବ । ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର 30ଟି ପଛୁଆ ବ୍ଲକର ବିକାଶ ଉପରେ ଗୁରୁତ୍ଵ ଦିଆଯାଉଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ତଥା ସରଗିଫୁଲର ସମ୍ପାଦକ ଦାଶ ବେନହୁର ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, କରୁଣା ନଥିଲେ ସାହିତ୍ୟ ସୃଷ୍ଟି ହୋଇପାରିବ ନାହିଁ । ପ୍ରତ୍ୟେକ କବିଙ୍କ ମଧ୍ୟରେ ସମ୍ବେଦନତା, ସହାନୁଭୂତି, ଭାବବିହ୍ବଳତା ରହିବା ଆବଶ୍ୟକ । କାବ୍ୟ ଓ କବିତାର ଆବିର୍ଭାବ ହିଁ ପ୍ରକୃତିରୁ ତେଣୁ ପ୍ରକୃତିର ଲୋକ ଅର୍ଥାତ ଜନଜାତିଙ୍କ ଠାରୁ ହିଁ କବିତାର ଜନ୍ମ । ସେମାନେ ସବୁବେଳେ ପ୍ରକୃତି ସହ ଯୋଡ଼ିହୋଇ ରହୁଥିବାରୁ ସେମାନଙ୍କର କଳ୍ପନା ଶକ୍ତି ଅଧିକ ରହିଛି । ଏଥିପାଇଁ ବିଭିନ୍ନ ଜନଜାତୀୟ କବିତାରେ ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ଆଦି ବିଷୟ ଅତି ନିଖୁଣ ଭାବେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ । ତେଣୁ ବର୍ତ୍ତମାନ ସମୟରେ ଆଦିବାସୀ ସାହିତ୍ୟକୁ ଆହୁରି ଆଗକୁ ନେବାର ସମୟ ଆସିଛି ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ, ଆଦିବାସୀ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ସିରିଜ ଅବସରରେ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିଭିନ୍ନ ଜନଜାତି ସମ୍ପ୍ରଦାୟ ଯଥା ବିଂଝାଲ, ଦେଶିଆ, ଗଦବା, ଖଡିଆ, କିଷାନ, କୋୟା, କୁଇ, ସଉରା, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ, ହୋ ଆଦି ସମୁଦାୟରୁ ଆସିଥିବା ସୁନାମଧନ୍ୟ କବି କବିତା ପାଠ କରିବେ । ସେମାନେ ପାଠ କରିଥିବା ସମସ୍ତ କବିତାକୁ ଏକ ପୁସ୍ତକ ଆକାରରେ ପ୍ରକାଶିତ କରାଯିବ । କାର୍ଯ୍ୟକ୍ରମର ସଞ୍ଚାଳନ ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀ ସମରେନ୍ଦ୍ର ଭୂତିଆ କରିଛନ୍ତି । ଅତିଥିଙ୍କୁ ସ୍ବାଗତ କରିଛନ୍ତି ଉପ ନିର୍ଦ୍ଦେଶକ ସନ୍ତୋଷ ରଥ । ସେହିପରି ଧନ୍ୟବାଦ ଅର୍ପଣ କରିଛନ୍ତି ସହନିର୍ଦ୍ଦେଶିକ ମଧୁସ୍ମିତା ସାହୁ । ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର