ଭୁବେନେଶ୍ବର :ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ବୋଲି କୁହାଯାଉଥିବା ବେଳେ ଏହି ପାଞ୍ଚ ଦିନକୁ ମାସ ଓ ବର୍ଷଯାକର ସବୁଠାରୁ ବଡ଼ ପବିତ୍ର ଦିନ ବୋଲି କୁହାଯାଏ । ତେବେ ଏନେଇ ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ପଞ୍ଚୁକର ପ୍ରଥମ ଦିନରେ ଶିବଙ୍କ ମୁଣ୍ଡରେ ଜଳଲାଗି କରିଛନ୍ତି ଭକ୍ତ।
ଅନ୍ୟପଟେ କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ହବିଷ୍ୟାଳି ଶିବିରରେ ଚାଲିଛି ପୂଜାର୍ଚ୍ଚନା । ହବିଷ୍ୟାଳିମାନେ ମାସସାରା ବଡ଼ ନିଷ୍ଠାର ସହ ଏହି ବ୍ରତ ପାଳିଥିବା ବେଳେ ପଞ୍ଚୁକରେ ମଧ୍ୟ ବେଶ ନିଷ୍ଠା ଓ ଭକ୍ତିର ସହ ରାଇଦାମୋଦରଙ୍କ ପୂଜା କରିଛନ୍ତି । ସମସ୍ତେ ସକାଳୁ ଉଠି ବିନ୍ଦୁସାଗରରେ ବୁଡ଼ ପକାଇ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଧର୍ମଶାଳାରେ ଆସି ମା ବୃନ୍ଦାବତୀଙ୍କ ପୂଜା କରିଛନ୍ତି । ପରିଣତ ବୟସରେ ମୋକ୍ଷ ଓ ଶାନ୍ତି ପାଇଁ ମା ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦରଙ୍କ ପୂଜା କରିଛନ୍ତି । ଚଉରାମୂଳେ ଝୋଟି ଚିତା ପକାଇ ପ୍ରଭୁଙ୍କ ଆରାଧନା କରିଛନ୍ତି । ତେବେ ରାଜ୍ୟର ବିଭିନ ସ୍ଥାନରୁ ଆସିଥିବା ହବିଷ୍ୟାଳି ଏକାଠି ହୋଇ ଲିଙ୍ଗରାଜ କ୍ଷେତ୍ରରେ ହବିଷ ବ୍ରତ ପାଳନ କରି ପରମାନନ୍ଦ ଲାଭ କରିଥିବା କହିଛନ୍ତି ।