ଭୁବନେଶ୍ବର: ରାଜ୍ୟ ସରକାର ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ସ୍କିଲ୍ଡ ଇନ ଓଡିଶା କନକ୍ଲେଭ-୨୦୨୩ ଆୟୋଜନ କରୁଛନ୍ତି । ଯେଉଁଥିରେ ପ୍ରମୁଖ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ମିଡ଼ିଆ ହାଉସ ଏବଂ ଉଦ୍ୟୋଗୀ ଛାତ୍ର ଓ ଯୁବକମାନେ ଯୋଗଦେବେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଦେଶ ତଥା ବିଶ୍ୱକୁ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଏବଂ କୁଶଳ ମାନବସମ୍ବଳ ଯୋଗାଣକାରୀ ଭାବେ ରାଜ୍ୟର ସ୍ଥିତି ପ୍ରଦର୍ଶିତ ହେବ । ବୈଷୟିକ ଦୃଷ୍ଟିକୋଣ ପୃଷ୍ଠଭୂମିରେ ଦକ୍ଷତାର ଭବିଷ୍ୟତ ଆଶା ମଧ୍ୟ ପ୍ରଦର୍ଶିତ ହେବ । ଏହି ପରିପ୍ରେକ୍ଷୀରେ ଆଜି ୧୬ଟି ବିଭିନ୍ନ ସରକାରୀ ବିଭାଗ ଏବଂ ଏଜେନ୍ସି ସହିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି ।
ଏହାବି ପଢନ୍ତୁ- NAC Poll: ହିନ୍ଦୋଳରେ ୮୮ ଓ ଅତାବିରାରେ ୭୪ ପ୍ରତିଶତ ମତଦାନ
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହା ସହ ଏହି ସମ୍ମିଳନୀର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଭାଗର ଅଂଶଗ୍ରହଣ ଓ ସମର୍ଥନ ସହ ପ୍ରତ୍ୟେକ ବିଭାଗରୁ ଜଣେ ଜଣେ ନୋଡାଲ ଅଫିସର କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ରହିବେ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀ ପାଇଁ ଗୃହ ବିଭାଗକୁ କଳିଙ୍ଗ ଷ୍ଟାଡିୟମ ଏବଂ ଜନପଥରେ ସୁରକ୍ଷା ବ୍ୟବସ୍ଥା ସହିତ ଆଇନଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାର ତଦାରଖ କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମ୍ମିଳନୀ ସ୍ଥଳରେ ମେଡିକାଲ ଟିମ୍, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରଖିବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରୀଛାତ୍ରୀଙ୍କୁ ସାମିଲ କରିବା ଆଦି ଦାୟିତ୍ୱ ଦିଆଯାଇଛି ।