ଭୁବନେଶ୍ବର: ରାଜଧାନୀ ସ୍ଥିତ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (RMRC) କ୍ୟାମ୍ପ୍ରେ ଭୟଙ୍କର ଅଗ୍ନିକାଣ୍ଡ । କ୍ୟାମ୍ପସରେ ଥିବା ଷ୍ଟୋର ରୁମରେ ଲାଗିଲା ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ଅନେକ ମେଡ଼ିକାଲ ସରଞ୍ଜାମ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । କୋଭିଡର ସାମ୍ପୁଲ୍ କିଟ୍ ଜଳିଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ବର RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ, ମେଡ଼ିକାଲ ସରଞ୍ଜାମ ପୋଡ଼ି ନଷ୍ଟ - RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ
RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ। କ୍ୟାମ୍ପସରେ ଥିବା ଷ୍ଟୋର ରୁମରେ ଲାଗିଛି ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । ଅଧିକ ପଢ଼ନ୍ତୁ

ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ୨ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଗୋଦାମ ଘର ମୁଖ୍ୟ ବିଲ୍ଡିଂର ବହୁ ଦୂରରେ ରହିଥିବାରୁ ଅନେକ ବିପଦରୁ ବର୍ତ୍ତି ଯାଇଥିବା ଜଣାପଡିଛି । ଏନେଇ କର୍ମଚାରୀମାନେ କହିଛନ୍ତି, "ଏହି ଗୋଦାମରେ ଦିସ୍ପୋଜାଲ ଆଇଟମ ରହିଥିଲା । ପ୍ଲାଷ୍ଟିକ କାଗଜ ଟେବୁଲ ଆଦି ରହିଥିଲା । ଫୋନ କରିବାର ୫ ମିନିଟ ମଧ୍ୟରେ ଚନ୍ଦ୍ରଶେଖରପୁର ଅଗ୍ନିବାହିନୀ ଦଳ ଆସି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କାହାରି କ୍ଷତି ହୋଇନଥିବା ବେଳେ ସର୍ଟ ସର୍କିଟ ହେବା ଦ୍ଵାରା ନିଆଁ ଲାଗିଥିବା ଜଣାପଡିଛି ।"
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୮ ତାରିଖ ରାତିରେ ପୁରୀ ନିଳାଦ୍ରୀ କମ୍ପ୍ଲେକ୍ସରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ୧୦ ତାରିଖରେ ପୁଣି ପୁରୀର ନିଳାଦ୍ରୀ କମ୍ପ୍ଲେକ୍ସର ହାଣ୍ଡଲୁମ ଶୋ’ ରୁମ୍ରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ପୁରୀ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ପାଇଁ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା । ରାଜଧାନୀର ୟୁନିଟ-୧ ସ୍ଥିତ ମାର୍କେଟ ବିଲ୍ଡିଂ ଭିତରକୁ ଯାତାୟତର ସୁବିଧା ନଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଏପଟେ ଅଫିସ ହେଉ ଅବା କୌଣସି ମାର୍କେଟ ଅଞ୍ଚଳ, କୌଣସି ବଡ଼ ବଡ଼ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଯଦି ଥାଏ ତେବେ ଏହାକୁ ବ୍ୟବହାର କରିବା ପାଇଁ ସଠିକ ଜ୍ଞାନ ନଥାଏ । ତେବେ ଏନେଇ ଲୋକମାନଙ୍କ ନିକଟରେ ସଚେତନାର ଅଧିକ ଆବଶ୍ୟକତା ରହିଛି । ଏପଟେ ଆଜି ବ୍ରହ୍ମପୁରର BSNL ସର୍ଭିସ ସେଣ୍ଟର ଥିବା ଟ୍ରାନ୍ସଫର୍ମରରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସର୍ଭିସ ସେଣ୍ଟରରେ ଥିବା ତାର ଜାଳି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର